ଭୋପାଲ: ବିଜେପି ସାଂସଦ ପ୍ରଜ୍ଞା ଠାକୁର ପୁଣିଥରେ ବିବାଦୀୟ ବୟାନ ଦେଇ ଅଡୁଆରେ । ଏଥର ପ୍ରଜ୍ଞା ଠାକୁର ନମାଜରୁ ହେଉଥିବା ଅଜାନର ଶବ୍ଦକୁ ନେଇ ଆପତ୍ତି ଦର୍ଶାଇଛନ୍ତି । ସେ କହିଛନ୍ତି ଯେ ଏହି ଶବ୍ଦ ଯୋଗୁଁ ସାଧୁ ସନ୍ଥଙ୍କ ଧ୍ୟାନ ଭଙ୍ଗ ହେଉଛି ଏବଂ ରୋଗୀ ମଧ୍ୟ ବିରକ୍ତ ହେଉଛନ୍ତି । ପ୍ରଜ୍ଞା ରାମ ମନ୍ଦିରର ଏକ କାର୍ଯ୍ୟକ୍ରମରେ ସମ୍ବୋଧନରେ ଅଜାନର ଶବ୍ଦକୁ ନେଇ ପରୋକ୍ଷ ଭାବେ ହମଲା କରିଛନ୍ତି । ସେ କହିଛନ୍ତି ଯେ ସକାଳ ୫ଟା ପାଖାପାଖି ଜୋର ଶବ୍ଦ ଶୁଭିଥାଏ । ଏହାଦ୍ୱାରା ନାନା ରୋଗରେ ପୀଡିତ ରୋଗୀଙ୍କ ନିଦ ଭାଙ୍ଗି ଯାଇଥାଏ ଓ ତାଙ୍କୁ ସମସ୍ୟା ହୋଇଥାଏ । ସକାଳେ ବ୍ରହ୍ମ ମୁହୂର୍ତ୍ତରେ ସାଧୁ ସନ୍ଥ ସାଧନା ମଧ୍ୟ କରିଥାନ୍ତି ଓ ସେହି ସମୟରେ ଆଳତୀ ମଧ୍ୟ ହୋଇଥାଏ । ଏତିକିବେଳେ ଜୋର ଶବ୍ଦ ଆସିଥାଏ । ସେ କହିଛନ୍ତି ଆମେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ସନ୍ତାନ । ଲାଉଡ଼ସ୍ପିକରରେ ସକାଳୁ ସକାଳୁ ଏତେ ଶବ୍ଦ ହେବା ଉଚିତ ନୁହେଁ । କିନ୍ତୁ ଯେତେବେଳେ ଆମେ ଲାଉଡ଼ସ୍ପିକର ଲଗାଇ ଅଧର୍ମୀ ଆପତ୍ତି କରିଥାନ୍ତି । ଇସ୍ଲାମରେ ଅନ୍ୟ ଧର୍ମର ଆବାଜ ଶୁଣିବାକୁ ଯଥାର୍ଥ କୁହାଯାଏ ନାହିଁ ବୋଲି ମଧ୍ୟ ସେ କହିଛନ୍ତି । ସୂଚନାଯୋଗ୍ୟ ଯେ ସାଂସଦ ପ୍ରଜ୍ଞା ନିକଟରେ ନିଜ ବୟାନକୁ ନେଇ ଚର୍ଚ୍ଚାକୁ ଆସିଥିଲେ । ଏହା ପୂର୍ବରୁ ସେ କେନ୍ଦ୍ରୀୟ ବିଦ୍ୟାଳୟ କ୍ରମାଙ୍କ ୨ରେ ନମାଜ ପଢାକୁ ନେଇ ଆପତ୍ତି ଦର୍ଶାଇଥିଲେ ଓ ଏହାସହ ସେ ସ୍କୁଲ ପ୍ରବନ୍ଧନ ଓ ପୋଲିସ ପ୍ରଶାସନକୁ ମଧ୍ୟ ଟାର୍ଗେଟ କରିଥିଲେ ।