ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ୪୦% ମହିଳା ପ୍ରାର୍ଥୀ ଦେବାକୁ ଘୋଷଣା କରିବା ସହ ‘ଲଡକି ହୁଁ, ଲଢେ ସକତି ହୁଁ’ ସ୍ଲୋଗାନ ଦେଇଥିଲେ । ହେଲେ ଏହାର ଜବାବ ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଏହାର ଅର୍ଥ ଘରେ ପୁଅ ଅଛି କିନ୍ତୁ ସେ ଲଢିପାରୁନି । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ମୃତି ଇରାନୀ ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀ ଓ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ନୀତି, ବିକାଶ ଓ ଲୋକତନ୍ତ୍ରକୁ ଆଧାର କରି ଭାଜପା ନିର୍ବାଚନ ମଇଦାନକୁ ଓହ୍ଲାଇବ ।
ପ୍ରିୟଙ୍କାଙ୍କୁ ଟାର୍ଗେଟ କରି ସ୍ମୃତି କହିଛନ୍ତି ଏହାର ଅର୍ଥ ମହିଳାଙ୍କୁ ୬୦% ଟିକେଟ ଦେବାକୁ ଚାହୁଁନି । ଏହାଛଡା ସେ କହିଛନ୍ତି, ହାରିବା ଜିତିବା ରାଜନୀତିର ଏକ ଅଂଶବିଶେଷ । ସେମାନେ ସମସ୍ତଙ୍କୁ ସମାନ ଭାବେ ପ୍ରାଧାନ୍ୟ ଦେବା ଉଚିତ । ସେହିପରି ସମାଜବାଦୀ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରି ସ୍ମୃତି କହିଛନ୍ତି ଯେ, ଏକ କାର୍ଯ୍ୟକ୍ରମରେ ଅଖିଳେଶ କହିଥିଲେ ଯେ, ମହାତ୍ମା ଗାନ୍ଧୀ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଜବାହାରଲାଲ ନେହରୁ ଓ ମହମ୍ମଦ ଜିନା ବାରିଷ୍ଟର ହେବା ସହ ଦେଶ ପାଇଁ ଲଢିଥିଲେ । ଅଖିଳେଶଙ୍କ ଏହି ବୟାନର କଟାକ୍ଷ କରି ସ୍ମୃତି କହିଛନ୍ତି, ସର୍ଦ୍ଦାର ପଟେଲ ଅତୁଳନୀୟ ଥିଲେ । ଦେଶବାସୀଙ୍କ ମଧ୍ୟରେ ଏକତାର ଭାବନା ଜାଗ୍ରତ କରିବାର ଶ୍ରେୟ ତାଙ୍କର । ଏପରି ବ୍ୟକ୍ତିତ୍ୱଙ୍କ ତୁଳନା ଏପରି ଲୋକଙ୍କ ସହ କରିବାକୁ ଚାହିଁବେ, ଯିଏ କହିଥିଲେ ଚାଲ ଧର୍ମ ଆଧାରରେ ଦେଶକୁ ବିଭାଜିତ କରିବା ।