ଶାହୀନ ଆଫ୍ରିଦିଙ୍କୁ ଜରିମାନା

ଢାକା : ପାକିସ୍ତାନର ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦିଙ୍କୁ ଜରିମାନାରେ ଦଣ୍ଡିତ କରିଛି ଆଇସିସି । ଶନିବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ବିନା କାରଣରେ ବ୍ୟାଟ୍ସମ୍ୟାନ ଅଫୀଫ ହୁସେନଙ୍କୁ ବଲ ଫିଙ୍ଗିଥିଲେ ଶାହୀନ । ଏନେଇ କ୍ରିକେଟ ପ୍ରଶଂସକ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନା କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଇସିସି ପାଖରେ ଦାବି କରିଥିଲେ ।

ଘଟଣାର ଯାଞ୍ଚ କରି ଶାହୀନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଛି ଆଇସିସି । ଶାହୀନ ଆଫ୍ରିଦିଙ୍କ ମ୍ୟାଚ ଫି’ର ୧୫ ପ୍ରତିଶତ କାଟିଦିଆଯାଇଛି । ସୂଚନାଯୋଗ୍ୟ, ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟି-୨୦ ଚାଲିଥିବା ବେଳେ ଶାହୀନ ଆଫ୍ରିଦିଙ୍କ ଏକ ବଲକୁ ଛକା ମାରିଥିଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ ଅଫିଫ ହୁସେନ୍‌ । ଏହାର ପରବର୍ତ୍ତୀ ବଲରେ ହୁସେନ ଡିଫେନ୍ସ କରିବା ସହ ବଲଟି ସିଧା ଶାହୀନଙ୍କ ହାତକୁ ଯାଇଥିଲା । ତେବେ ବିନା କାରଣରେ ଆଫ୍ରିଦି ବଲଟିକୁ ହୁସେନଙ୍କ ଆଡକୁ ଫିଙ୍ଗିଥିଲେ । ବଲଟି ତାଙ୍କ ଗୋଡରେ ବାଜିଥିଲା । କିଛି ସମୟ ପାଇଁ ତଳେ ପଡିଯାଇଥିଲେ ହୁସେନ୍‌ । ପରେ ହୁସେନ୍‌ଙ୍କୁ କ୍ଷମା ମାଗିଥିଲେ ଶାହୀନ । ପଡିଆରେ ଏଭଳି ଆଚରଣ ସମସ୍ତଙ୍କୁ କ୍ଷୁବ୍ଧ କରିଥିଲା । ଏନେଇ ଆଇସିସି ତାଙ୍କ ମ୍ୟାଚ ଫି’ ର ୧୫ ପ୍ରତିଶତ କାଟିଛି । ଏହି ଦଣ୍ଡ ସେ ସ୍ୱୀକାର କରିଛନ୍ତି ପାକିସ୍ତାନ ବୋଲର ଶାହୀନ ଆଫ୍ରିଦି ।