ଭୁବନେଶ୍ୱରରୁ ଦୁବାଇକୁ ସିଧା ବିମାନସେବା ଲାଗି ଚିଠି

ନୂଆଦିଲ୍ଲୀ : କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରତିଦିନ ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ଆରମ୍ଭ କରିବା ପାଇଁ ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ । ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ବିଭିନ୍ନ ପ୍ରାନ୍ତରେ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ଓଡିଆ ଲୋକ ବସବାସ କରୁଛନ୍ତି ।

ଭୁବନେଶ୍ୱରରୁ ଦୁବାଇ ଓ ଦୁବାଇରୁ ଭୁବନେଶ୍ୱର ସିଧାସଳଖ ବିମାନସେବା ପାଇଁ ଦୀର୍ଘ ଦିନ ହେବ ଦାବି ହୋଇଆସୁଛି । ଦୁଇ ସହର ମଧ୍ୟରେ ସିଧାସଳଖ ବିମାନସେବା ଆରମ୍ଭ ହେଲେ ଓଡିଆ ଲୋକଙ୍କ ପାଇଁ ଅନ୍ତରାଷ୍ଟ୍ରୀୟ ଯାତାୟତର ଦ୍ୱାର ଫିଟିବ । ଅନ୍ୟପକ୍ଷରେ ବିଶ୍ୱର କୋଣ ଅନୁକୋଣରେ ବସବାସ କରୁଥିବା ଓଡିଆ ଲୋକ ମାନଙ୍କର ନିଜ ରାଜ୍ୟକୁ ଆସିବା ପାଇଁ ଯୋଗାଯୋଗ ସୁଗମ ହେବ । ପୂର୍ବ ଭାରତରେ ଓଡିଶା ବିକାଶର ପେଣ୍ଠସ୍ଥଳୀ ଭାବରେ ଆଗକୁ ବଢୁଛି । କେନ୍ଦ୍ର ରାଜଧାନୀ ଭୁବନେଶ୍ୱର ସହ ଅନ୍ତରାଷ୍ଟ୍ରୀୟ ବିମାନ ଯୋଗାଯୋଗ ପୂର୍ବ ଭାରତର ବିକାଶର ସମ୍ଭାବନାକୁ ଆହୁରି ଶକ୍ତିଶାଳୀ କରିବ । ଦୁଇ ସହର ମଧ୍ୟରେ ବିମାନ ଚଳାଚଳ ହେବା ଦ୍ୱାରା କଳାତ୍ମକ, ହସ୍ତତନ୍ତ ଓ କୃଷି ଆଧାରିତ ସାମଗ୍ରୀ ବ୍ୟବସାୟ ଦ୍ୱାରା ରାଜ୍ୟର ଅର୍ଥନୀତି ଗତିଶୀଳ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।