ଖୁବଶୀଘ୍ର ପେଟ୍ରୋଲ ପମ୍ପରେ ଲଗାଯିବ ଇ-ଯାନ ଚାର୍ଜିଂ ଷ୍ଟେସନ୍‌

ନୂଆଦିଲ୍ଲୀ: ଦେଶରେ ବୈଦ୍ୟୁତିକ ଯାନକୁ ବିସ୍ତାର କରିବାକୁ ସରକାର ଅନେକ ଯୋଜନା କରୁଛନ୍ତି । ଯାନବାହାନର ମୂଲ୍ୟ ରିହାତି ସହ ଇ-ଯାନ ପାଇଁ ଭିତ୍ତିଭୂମି ସୃଷ୍ଟି କରିବା ଭଳି ଯୋଜନା କରାଯାଇଛି । କେନ୍ଦ୍ର ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ସୂଚନା ଦେଇଛନ୍ତି ଯେ ଇ-ଯାନ ପାଇଁ ଦ୍ରୁତ ଚାର୍ଜର ବିକାଶ କରୁଛି ଓ ପେଟ୍ରୋଲ ପମ୍ପରେ ଚାର୍ଜିଂ ଷ୍ଟେସନ୍‌ ଲଗାଯିବା ନେଇ କେନ୍ଦ୍ର ସରକାର ଯୋଜନା କରୁଛନ୍ତି ।

ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ୨୨ ହଜାର ପେଟ୍ରୋଲ ପମ୍ପରେ ଇ-ଯାନ ଚାର୍ଜର ସ୍ଥାପନ ପାଇଁ ତୈଳ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ସହିତ ଆଲୋଚନା କରାଯାଉଛି । ସେହିପରି ସେ କହିଛନ୍ତି ଯେ, ରାଜପଥରେ ପ୍ରତ୍ୟେକ ୨୫ କିଲୋମିଟର ଦୂରତାରେ ଏକ ଚାର୍ଜିଂ ଷ୍ଟେସନ୍‌ ସ୍ଥାପନ କରିବାକୁ ଯୋଜନା ଥିବାବେଳେ ସହରଗୁଡିକରେ ୩ କିଲୋମିଟର ବ୍ୟାସାର୍ଦ୍ଧରେ ଗୋଟିଏ ଚାର୍ଜିଂ ଷ୍ଟେସନ୍‌ ରହିବ ।