ଜେନେଭା: ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସମସ୍ତ ଚେଷ୍ଟା ସତ୍ତ୍ୱେ କରୋନାକୁ ପ୍ରତିହତ କରିବାରେ କୌଣସି ବି ଦେଶ ସଫଳତା ହାସଲ ହୋଇପାରି ନାହିଁ। ଏହି ସମୟରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଶୁକ୍ରବାର ଚେତାବନୀ ଦେଇଛି ଯେ, ଯଦି ଏହି ଭୁତାଣୁକୁ ରୋକିବା ଦିଗରେ ବିଶ୍ୱସ୍ତରୀୟ ପଦକ୍ଷେପ ନିଆ ନ ଯାଏ ତେବେ କରୋନାରେ ମୃତ୍ୟୁ ସଂଖ୍ୟା ୨୦ ଲକ୍ଷ ଛୁଇଁବାର ଆଶଙ୍କା ରହିଛି । ତେବେ ବର୍ତ୍ତମାନ୍ ସୁଦ୍ଧା କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ଛୁଇଁଲାଣି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ଯଦି ବିଭିନ୍ନ ଦେଶ ଏବଂ ଲୋକମାନେ ମହାମାରୀର ମୁକାବିଲା ପାଇଁ ଏକଜୁଟ ନ ହୁଅନ୍ତି, ତେବେ ୨୦ ଲକ୍ଷ ରୁ ଅଧିକ ଆକ୍ରାନ୍ତଙ୍କର ମୃତ୍ୟୁ ସୁନିଶ୍ଚିତ ଏବଂ ଏହି ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ।
ଡବ୍ଲ୍ୟୁଏଚଓ (WHO)ର ଜରୁରୀକାଳୀନ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ମାଇକେଲ ରିୟାନ୍ ଏକ ଭର୍ଚୁଆଲ୍ ସମ୍ମିଳନୀରେ କହିଛନ୍ତି ଯେ ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ପହଁଞ୍ଚିବା ପୂର୍ବରୁ ଆମେ ଏହା ଉପରେ ବିଚାର କରିବା ଆବଶ୍ୟକ ଏବଂ ଉଚିତ୍ ପଦକ୍ଷେପ ନିଆଯିବା ଜରୁରୀ। ସେ ଆହୁରି ମଧ୍ୟ କହିଛନ୍ତି, କରୋନାର ମୃତ୍ୟୁକୁ ରୋକିବା ପାଇଁ ଆମେ ସାମୁହିକ ଭାବରେ ପଦକ୍ଷେପ ନେବାକୁ ପ୍ରସ୍ତୁତ କି? ଯଦି ଆମେ ପଦକ୍ଷେପ ନ ନେଉ ତେବେ ୧୦ ଲକ୍ଷ କଣ ଏହା ଠାରୁ ଅଧିକ ସଂଖ୍ୟକ ଲୋକଙ୍କ ର ମୃତ୍ୟୁ ଅବଶ୍ୟମ୍ଭାବୀ ।
ତଥ୍ୟ ଅନୁଯାୟୀ, ଗତ ବର୍ଷ ଡିସେମ୍ବରରେ ଚୀନ ରେ ମହାମାରୀ ଆରମ୍ଭ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ୯,୮୪,୦୬୮ ଲୋକଙ୍କର ମୃତ୍ୟୁ ଘଟିଛି। ସାରା ବିଶ୍ୱରେ ପ୍ରାୟ ୩ କୋଟି ରୁ ଅଧିକ ମାମଲା ରିପୋର୍ଟ ହୋଇଛି ।