ଆବଶ୍ୟକ ହେଲେ ଅଧିକ ରାଫେଲ ଦିଆଯିବ: ପ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ଗସ୍ତରେ ଥିବା ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲ କହିଛନ୍ତି ଯେ, ଭାରତକୁ ଆହୁରି ଅଧିକ ରାଫେଲ ଯୁଦ୍ଧ ବିମାନ ଯୋଗାଇବାକୁ ପ୍ରସ୍ତୁତ । ଭାରତ ଗସ୍ତରେ ଆସିଥିବା ପାର୍ଲ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଆଲୋଚନା ପୂର୍ବରୁ ଥିଙ୍କଟ୍ୟାଙ୍କରେ ଏହି ମନ୍ତବ୍ୟ ଦେଇଛନ୍ତି । ପୂର୍ବରୁ ଫ୍ରାନ୍ସ ଦୂତାବାସ ସୂଚନା ଦେଇଥିଲା କି ଭାରତକୁ ନିର୍ଦ୍ଧାରିତ ସମୟରେ ୩୩ଟି ରାଫେଲ ଯୁଦ୍ଧ ବିମାନ ଯୋଗାଇ ଦିଆଯାଇଛି । ସେ ଆହୁରି କହିଛନ୍ତି ଯେ, ଯଦି ଭାରତକୁ ଆଉ ଅତିରିକ୍ତ ରାଫେଲ ଦରକାର ତେବେ ଆମେ ଦେବା ପାଇଁ ପ୍ରସ୍ତୁତ ଅଛୁ ।

ଭାରତୀୟ ନୌସେନାରେ ଦ୍ୱିତୀୟ ବିମାନ ପରିବହନକାରୀ ଜାହାଜ ପାଇଁ ଯୋଜନା ପ୍ରସ୍ତୁତ କରୁଥିବାବେଳେ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ଜାହାଜ ଭିତ୍ତିକ ଯୁଦ୍ଧ ବିମାନ ଯୋଗାଇବାକୁ ଫ୍ରାନ୍ସ ଆଗ୍ରହୀ । ସେ କହିଛନ୍ତି ଆମେ ଜାଣୁ ଯେ ବିମାନ ପରିବହନକାରୀ ଶୀଘ୍ର ସେବାରେ ଆସିବ । ଏଥିପାଇଁ ଯୁଦ୍ଧ ବିମାନ ଆବଶ୍ୟକ ହେବ । ଯଦି ଭାରତ ନିଷ୍ପତ୍ତି ନିଏ ତେବେ ଆମେ ଆହୁରି ରାଫେଲ ଦେବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ । ଅନ୍ୟପକ୍ଷରେ ଭାରତର ପ୍ରଥମ ସ୍ୱଦେଶୀ ନିର୍ମିତ ବିମାନ ପରିବହନକାରୀ ଜାହାଜ ବିକ୍ରାନ୍ତ ଆସନ୍ତା ବର୍ଷ ଅଗଷ୍ଟରେ ଭାରତୀୟ ନୌସେନାରେ ସାମିଲ ହେବାର ଯୋଜନା ରହିଛି ।