ଲଦାଖରେ ଶକ୍ତିଶାଳୀ ଟି-90 ଏବଂ ଟି-72 ଟ୍ୟାଙ୍କ୍

ନୂଆଦିଲ୍ଲୀ: ଚୀନ୍ ସହ ସୀମା ବିବାଦ ଲାଗିରହିଥିବା ବେଳେ ଭାରତୀୟ ସେନା ପୂର୍ବ ଲଦାଖର ଚୁମାର-ଡେମୋଚୋକ ଅଞ୍ଚଳରେ ଟି-90 ଏବଂ ଟି-72 ଟ୍ୟାଙ୍କ୍ ମୂତୟନ କରିଛି। ଏହାସହ ବିଏମପି-୨ ପଦାତିକ ଯୁଦ୍ଧ ଯାନ ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି) ନିକଟରେ ନିୟୋଜିତ କରିଛି।

ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ ନିକଟରେ ମାଇନସ୍ ୪୦ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ତାପମାତ୍ରାରେ ଏହି ଅସ୍ତ୍ରଶସ୍ତ୍ର କାର୍ଯ୍ୟ କରିପାରିବ। ଗୋଟିଏ ପଟେ ଭାରତର ଟି-72(ଭିଷ୍ମ) ଏବଂ ହେଭିୱେଟ୍ ଟି-90 ଟ୍ୟାଙ୍କ ନିୟୋଜିତ କରିଥିବାବେଳେ ଚୀନ୍ ହାଲୁକା ଟାଇପ୍ 15 ଟ୍ୟାଙ୍କ ନିୟୋଜିତ କରିଛି। ଏ ଦୃଷ୍ଟିରୁ ଦେଖିଲେ ୧୪,୫୦୦ ଫୁଟ୍ ଉଚ୍ଚତାର ଏହି ଯୁଦ୍ଧ କ୍ଷେତ୍ରରେ ଚୀନକୁ କଡ଼ା ଟକ୍କର ଦେବାକୁ ଭାରତ ସମ୍ପୁର୍ଣ୍ଣ ପ୍ରସ୍ତୁତ।

ସୂଚନାଯୋଗ୍ୟ, ଭାରତ ଏବଂ ଚୀନ୍ ମଧ୍ୟରେ ପ୍ରାୟ ପାଞ୍ଚ ମାସ ଧରି ବିବାଦ ଲାଗି ରହିଛି। ଉଭୟ ଦେଶର ସୈନ୍ୟ ମୁହାଁମୁହିଁ ସ୍ଥିତିରେ ରହିଥିବାବେଳେ କେହି ପଛକୁ ହଟିବାକୁ ପ୍ରସ୍ତୁତ ନାହାନ୍ତି। ବିଶେଷ କରି ପୂର୍ବରୁ ଚୀନ୍ ସୈନ୍ୟ ଅପସାରଣ ଲାଗି ରାଜି ହୋଇ ପରବର୍ତ୍ତୀ ପର୍ଯ୍ୟାୟରେ ଧୋକା ଦେଇସାରିଛି। ଏହାପରଠୁ ଭାରତୀୟ ସେନା ଅଧିକ ସତର୍କତା ଅବଲମ୍ବନ କରୁଛି। ଇତିମଧ୍ୟରେ ଆଗକୁ ଶୀତ ଦିନ ଆସୁଥିବାରୁ ଏଲଏସି ଅଞ୍ଚଳରେ ତାପମାତ୍ରା ମାଇନସ୍ ୩୫ ଡିଗ୍ରୀକୁ ଖସିଯିବାର ସମ୍ଭାବନା ରହିଛି। ଏଥିପାଇଁ ଶୀତଦିନିଆ ପୋଷାକ, ଇନ୍ଧନ, ସ୍ପେୟାର୍ ଏବଂ ଆସେମ୍ବ୍ଲି ଭଳି ଅନ୍ୟାନ୍ୟ ସୁବିଧା ସହିତ କଠିନ ପାଗର ମୁକାବିଲା ପାଇଁ ସେନା ପ୍ରସ୍ତୁତ ଅଛି।