ଦତ୍ତାତ୍ରେୟଙ୍କର ୨୪ ଗୁରୁ ପ୍ରସଙ୍ଗରେ ଦ୍ୱାଦଶ ଗୁରୁ: ” ମଧୁମକ୍ଷିକା”
ମହାତ୍ମା ଅବଧୂତ (ଦତ୍ତାତ୍ରେୟ ) କହୁଛନ୍ତି , ହେ ରାଜନ୍ ମୋର ଦ୍ୱାଦଶ ଗୁରୁ ହେଉଛନ୍ତି ମଧୂମକ୍ଷିକା ମୁଁ ତାଙ୍କ ଠାରୁ ଧନ ଓ ବସ୍ତୁ ଆଦି ସଂଗ୍ରହ ନ କରିବାର ଶିକ୍ଷା ପାଇଛି । ଯୋଗୀ ଓ ସାଧୁମାନେ ମହୁମାଛି ଠାରୁ ଏହି ଶିକ୍ଷା କରି ଜୀବନ ନିର୍ବାହ କରିବା ଉଚିତ୍ । ମହୁମାଛି ଅନେକ ପରିଶ୍ରମ କରି ବହୁ ପୁଷ୍ପରୁ ମହୁ ସଂଗ୍ରହ କରେ , ପୁଷ୍ପକୁ କୌଣସି କ୍ଷତି କରେନାହିଁ କି ବିକୃତ କରେନାହିଁ । ଠିକ୍ ସେହିଭଳି ଯୋଗୀଜନ ସାଧୁ କୌଣସି ଗୃହସ୍ଥର ଗୃହରେ ଅଶାନ୍ତି , କ୍ଷତି ଘଟାଇବା ଅନୁଚିତ । ମହୁମାଛି ପୁଷ୍ପର ସାର ରୂପୀ ମହୁକୁ ସଂଗ୍ରହ କରେ । ସେହିପରି ଯୋଗୀଜନ ମାନେ ଶାସ୍ତ୍ରର ସର୍ବ ସାର ଗ୍ରହଣ କରିବା ଉଚିତ୍ ।
କିନ୍ତୁ ମହୁମାଛି ପରିଶ୍ରମ କରି ବିଭିନ୍ନ ଫୁଲରୁ ମଧୁ ସଂଗ୍ରହ କରି ନିଜେ ଅଳ୍ପ ଖାଇ , କାହାରିକୁ ଦାନ ନକରି ସଂଗ୍ରହ କରି ରଖିଥାଏ । କିନ୍ତୁ ପରିଶେଷରେ ସେହି ସଞ୍ଚିତ ମହୁକୁ ଅନ୍ୟ କେହି ନେଇଯାଏ ଓ ମହୁମାଛିକୁ ହତ୍ୟା ବି କରେ । ଏଥିରୁ ଶିକ୍ଷା ମିଳିଲା ଯେ ସାଧୁ ସନ୍ଥ ଭିକ୍ଷା କରି ଧନ ଠୁଳ କରି ରଖିବା ଅନୁଚିତ । ଯଦି କେହି ଏପରି ସଞ୍ଚୟ କରେ ତେବେ ସେହି ଧନ ତା ହାତରୁ ଅନ୍ୟ ହାତକୁ ଚାଲିଯାଏ ଓ ଧନ ଯୋଗୁ ସାଧୁର ଜୀବନ ମଧ୍ୟ ବିପନ୍ନରେ ପଡ଼ିଥାଏ । ଏହି ଧନ ସଂଗ୍ରହର ପ୍ରବୃତ୍ତି ଯେଉଁ ବ୍ୟକ୍ତି ପାଖରେ ଥାଏ ସେ କେବେ ସାଧୁ ସନ୍ଥ ନୁହନ୍ତି ।
ଏକଥା ମଧ୍ୟ ସତ୍ୟ ଯେ ଧନ ସଂଗ୍ରହ ଦ୍ଵାରା ଲୋଭ ଜାତ ହୋଇଥାଏ , ଲୋଭ ହେଉଛି ସମସ୍ତ ପାପର ମୂଳ । ଯେଉଁ ସାଧୁ ଆବଶ୍ୟକତା ଠାରୁ ଅଧିକ ଧନ ସଂଗ୍ରହ କରେ ,ସେ ଗୃହସ୍ଥ ଠାରୁ ବି ଅଧିକ ପାପ ଯୁକ୍ତ । ଗୃହସ୍ଥ ଦାନ ଧର୍ମ , ପରୋପକାର ଓ ନିଜର ଅଭିବୃଦ୍ଧି ପାଇଁ ଧନ ସଂଗ୍ରହ କରିଥାଏ । କିନ୍ତୁ ସାଧୁତ କେବଳ ଜ୍ଞାନ ଦାନ ଦ୍ଵାରା ଜଗତର ମଙ୍ଗଳ କରିଥାଏ , କାରଣ ପରିବାର ଓ ସମ୍ପର୍କୀୟ ଠାରୁ ଆତ୍ମୀୟତା ଓ ମମତା ଶୂନ୍ୟ ହୋଇ ଈଶ୍ୱର ପ୍ରୀତିୟାର୍ଥେ ସାଧୁ ସନ୍ଥ ହୋଇଥାଏ । ତେଣୁ ସାଧୁ ସନ୍ଥ କୌଣସି ପ୍ରକାର ଧନ ସଞ୍ଚୟର ଭାବ ନ ରଖି ସାଧାରଣ ଭାବରେ ନିର୍ବିକାର ଜୀବନ ନିର୍ବାହ କରିବା ଉଚିତ୍ , ନହେଲେ ମହୁମାଛି ପରି ପରିଣତି ଭୋଗ କରିବାକୁ ପଡ଼ିଥାଏ ।
ଓଡ଼ିଆ ଭାଗବତରୁ କିଛି :-
ଧନ ସଞ୍ଚୟ ରାତ୍ରଦିନ । ନକରେ ସୁଖ ଭୋଗ ଦାନ ।। ନିରତେ କରଇ ସଞ୍ଚୟ । ପାପୀ କୃପଣ ଦୁରାଶୟ ।। ତାହାର ଧନ ହରେ ଆନେ। ମଧୁ ସଞ୍ଚୟ ମାଛି ଯେହ୍ନେ ।। ନଦେଇ ନ ଖାଇ ସଞ୍ଚଇ । ତାହାର ମୁଖେ ଅଗ୍ନି ଦେଇ ।। ମଧୁ ଭକ୍ଷଇ ନେଇ ଆନ । ଏଣୁ ସେ ଗୁରୁ ମୋ ରାଜନ୍ ।।