୯୧ ବର୍ଷରେ ଲତା, ଶୁଭେଚ୍ଛା ଜଣାଇଲେ ମୋଦି

ମୁମ୍ବାଇ: କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେଶକର ଆଜି ୯୧ ବର୍ଷ ବୟସରେ ପାଦ ଥାପିଛନ୍ତି। ୭୦ ବର୍ଷ ଧରି ସେ ନିଜ କଣ୍ଠର ଯାଦୁରେ ପ୍ରତିଟି ଭାରତୀୟଙ୍କ ହୃଦୟକୁ ମତୁଆଲା କରିଛନ୍ତି। ଆଜି ଜନ୍ମଦିନ ଅବସରରେ ତାଙ୍କପାଇଁ ଶୁଭେଚ୍ଛାର ସୁଅ ଛୁଟିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଲତାଙ୍କୁ ଶୁଭକାମନା ଦେଇଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି, ‘ସମ୍ମାନୀୟା ଲତା ଦିଦିଙ୍କ ସହ କଥା ହୋଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲି। ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରୁଛି। ସାରା ଦେଶରେ ଲତା ଦିଦି ଏକ ଘରୋଇ ନାମ । ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି ଯେ ତାଙ୍କ ସ୍ନେହ ଏବଂ ଆଶୀର୍ବାଦ ସବୁବେଳେ ପାଇଛି’।

ଲତା ମଙ୍ଗେଶକର, ଯିଏ ଦେଶର ଶ୍ରେଷ୍ଠ କଣ୍ଠଶିଳ୍ପୀଙ୍କ ମଧ୍ୟରୁ ଜଣେ, ସଙ୍ଗୀତପ୍ରେମୀଙ୍କୁ ଅନେକ ଚିର ସବୁଜ ଗୀତ ଦେଇଛନ୍ତି। ତାଙ୍କର ମୃଦୁ ସ୍ୱର ହେତୁ ପ୍ରଶଂସକମାନେ ତାଙ୍କୁ କୋକିଳକଣ୍ଠୀ ବୋଲି କହନ୍ତି। ସାତ ଦଶନ୍ଧିର କ୍ୟାରିୟରରେ ତାଙ୍କୁ ଦାଦାସାହେବ ଫାଲକେ ପୁରସ୍କାର, ଭାରତ ରତ୍ନ ଏବଂ ଅନେକ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମେତ ବହୁ ସମ୍ମାନ ପ୍ରଦାନ କରାଯାଇଛି।

ଲଗଜା ଗଲେ, ଦିଲ୍ ତୋ ପାଗଲ୍ ହୈ, ଡଫଲି ୱାଲେ ଡଫଲି ବଜା, ଦିଦି ତେରା ଦେୱର ଦିୱାନା, ଜିୟା ଜଲେ, ତୁଝେ ଦେଖା ତୋ ୟେ ଜାନା ସନମ୍ ପରି ତାଙ୍କର ଲୋକପ୍ରିୟ ଗୀତ ଆଜି ବି ଲୋକେ ମୋବାଇଲରେ ଆଗ୍ରହ ସହକାରେ ଶୁଣୁଛନ୍ତି, ରେଡିଓରେ ବଜାଉଛନ୍ତି। ବର୍ଷ ବର୍ଷ ଧରି ସେ ୧୦୦୦ରୁ ଅଧିକ ହିନ୍ଦୀ ଗୀତ ଗାଇଛନ୍ତି ଏବଂ ୩୬ଟି ଭାଷାରେ କଣ୍ଠଦାନ କରିଛନ୍ତି।