ଏଣିକି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ

ଲଣ୍ଡନ: ବ୍ରିଟେନରେ କୋଭିଡ ସଂକ୍ରମଣ ହ୍ରାସ ପାଉଥିବାରୁ ବ୍ରିଟେନ ସରକାର ଦେଶରେ ଲାଗୁ ହୋଇଥିବା ସବୁ କଟକଣା ହଟାଇବେ ବୋଲି ଘୋଷଣା କରିଛନ୍ତି । ଦେଶରେ ଓମିକ୍ରନ ଲାଗି ବିଭିନ୍ନ କଟକଣା ଲଗାଇଥିଲେ । ହେଲେ ଓମିକ୍ରନ ଏବେ ପିକ୍‌ରେ ପହଞ୍ଚି ହ୍ରାସ ପାଉଥିବାରୁ ସରକାର ଏହି କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଘୋଷଣା ଅନୁଯାୟୀ ଘରୁ ରହି କାମ କରିବା ନିୟମକୁ ପ୍ରତ୍ୟାହାର କରାଯାଇଛି ।

ସେହିପରି ଆସନ୍ତା ସପ୍ତାହରୁ ମାସ୍କ ପିନ୍ଧିବା ଆଉ ବାଧ୍ୟତାମୂଳକ କରାଯିବନାହିଁ । ସେହିପରି ଲୋକମାନେ ବିନା କୌଣସି କଟକଣାରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ । ସୂଚନାଯୋଗ୍ୟ ଯେ, ୨୦୨୦ ଲକଡାଉନ ବେଳେ ମଦ ପାର୍ଟି କରି ବିବାଦରେ ଥିବା ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏବେ ନିଜର ଭବିଷ୍ୟତକୁ ନେଇ ଚାପରେ ଅଛନ୍ତି । ଏହି ଚାପରେ ସେ ଲୋକଙ୍କ ପାଇଁ କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ବୁଷ୍ଟର ଡୋଜ୍‌ ଅଭିଯାନ ସଫଳ ହୋଇଥିବାରୁ କଟକଣା ହଟା ଯାଉଥିବା ଜନସନ କହିଛନ୍ତି । ଅନ୍ୟପକ୍ଷରେ ବ୍ରିଟେନରେ ଓମିକ୍ରନ ଭାରିଏଣ୍ଟ ବୃଦ୍ଧି ପାଉଥିଲେ ସୁଦ୍ଧା ଅଧିକାଂଶ ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡୁନି । ସେହିପରି ସଂକ୍ରମଣ ତୁଳନାରେ ମୃତ୍ୟୁହାର ଯଥେଷ୍ଟ କମ ରହିଛି ।