ନୂଆଦିଲ୍ଲୀ : ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ, ଭାରତୀୟ ବ୍ୟାଡମିଣ୍ଟନ ସଂଘ (ବାଇ) ଏବଂ ଓଡ଼ିଶା ସଂଘର ମିଳିତ ଆନୁକୂଲ୍ୟରେ ମଙ୍ଗଳବାରଠୁ ଜବାହାରଲାଲ୍ ନେହରୁ ଇନ୍ଡୋର ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ଓଡ଼ିଶା ଓପନ (ସୁପର-୧୦୦) ବ୍ୟାଡମିଣ୍ଟନ । ଥମ ଥର ଟୁର୍ଣ୍ଣାମେଣ୍ଟରେ ୧୭ଟି ଦେଶରୁ ୩୫୦ରୁ ଊଦ୍ଧ୍ୱର୍ ଖେଳାଳି ଭାଗ ନେଇଛନ୍ତି । ପ୍ରତିଯୋଗିତା ମଙ୍ଗଳବାରଠୁ ଆରମ୍ଭ ହୋଇ ୩୦ ତାରିଖରେ ଶେଷ ହେବ ।
ଷ୍ଟାଡିୟମରେ ମୋଟ୍ ୪ଟି କୋର୍ଟ ପ୍ରସ୍ତୁତ ହୋଇଛି । କଡ଼ା କୋଭିଡ୍ କଟକଣା ମଧ୍ୟରେ ପ୍ରତିଯୋଗିତା ଆୟୋଜିତ ହେଉଛି । ସୋମବାର କିଛି ଖେଳାଳି ଯାଇ କଟକରେ ଅଭ୍ୟାସ କରିଥିଲେ। ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ୭୫୦୦୦ ଡଲାର ବା ୫୫.୫୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ଆୟୋଜକଙ୍କ ପକ୍ଷରୁ ଘୋଷଣା କରାଯାଇଛି ।
କୋଭିଡ୍ କଟକଣାକୁ କଡ଼ା କଡ଼ି କରାଯାଇଛି। ଖେଳାଳିମାନେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ସେମାନଙ୍କର କୋଭିଡ୍ ପରୀକ୍ଷା କରାଯାଉଛି । ଯେଉଁମାନଙ୍କର ରିପୋର୍ଟ ନେଗେଟିଭ ଆସୁଛି ସେମାନଙ୍କୁ ଖେଳିବାର ଅନୁମିତ ମିଳୁଛି ।
କଟକରେ ଓଡ଼ିଶା ଓପନ ବ୍ୟାଡମିଣ୍ଟନ ଆୟୋଜିତ ହେବାରେ କୋଚ୍ ପୁଲେଲା ଗୋପୀଚାନ୍ଦଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ସେ ଆଜି ଭୁବନେଶ୍ୱର ପହଞ୍ଚି ପ୍ରତିଯୋଗିତାରେ ଭାଗ ନେଉଥିବା ଘରୋଇ ପିଲାମାନଙ୍କ ସହ ଆଲୋଚନା କରିଛନ୍ତି । ସେମିତି ସମସ୍ତ ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରିଛନ୍ତି ।
ଭାରତୀୟଙ୍କ ମଧ୍ୟରେ ଗୁରୁ ସାଇଦତ୍ତ, ସୁମିତ ରେଡ୍ଡୀ, ସିକ୍କି ରେଡ୍ଡୀ ଓ ଧ୍ରୁବ କପିଳ ତସନିମ ମିର ପ୍ରମୁଖ ଖେଳାଳି ଭାଗ ନେବେ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ସାଇନା ନେହ୍ୱାଲ, ପି. କଶ୍ୟପ ଭାଗ ନେବେ ବୋଲି ସୂଚନା ମିଳିଥିଲା । କିନ୍ତୁ ସେମାନେ ପ୍ରତିଯୋଗିତାରେ ଭାଗ ନେବେ ନା’ ନାହିଁ ତାହା ଏ ପର୍ଯ୍ୟନ୍ତ ଆୟୋଜକଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ ।