ସଂକ୍ରମଣ କମିବା ପରେ ବଢ଼ିଲା ଆଶା : ଫେବ୍ରୁଆରୀରେ ଖୋଲିବ ଶ୍ରୀମନ୍ଦିର!

ଭୁବନେଶ୍ୱର : ଶ୍ରୀକ୍ଷେତ୍ର ସହ ପୁରୀ ଜିଲ୍ଲାରେ କୋଭିଡ ସଂକ୍ରମଣ ସଂଖ୍ୟା କମିବା ପରେ ଏଭଳି ଆଶାପୋଷଣ କରିଛନ୍ତି ଶ୍ରୀମନ୍ଦିର ସେବାୟତ। ଫେବ୍ରୁଆରୀରେ ଖୋଲିପାରେ ଶ୍ରୀମନ୍ଦିର।

ଜାନୁଆରି ୩୧ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଦର୍ଶନ ବନ୍ଦ କଟକଣା ବଳବତର ରହିଥିବାରୁ ଏହା ପୂର୍ବରୁ ସଂକ୍ରମଣ ସ୍ଥିତିକୁ ଦେଖି ଶ୍ରୀମନ୍ଦିର ଖୋଲିବ କି ନାହିଁ ଛତିଶାନିଯୋଗରେ ନିଷ୍ପତ୍ତି ହେବ । ପୂର୍ବରୁ ୬୦ ବର୍ଷର ସେବାୟତଙ୍କୁ ଏହି କୋଭିଡ ବୁଷ୍ଟର ଡୋଜ ଦିଆଯାଇଛି। ଅନ୍ୟପଟେ ସଂକ୍ରମଣ ରୋକିବା ପାଇଁ ଟିକାର ସମୟ ଅବଧି ପୂରଣ କରି ସାରିଥିବା ଶ୍ରୀନ୍ଦିର ସେବାୟତଙ୍କୁ ବୁଷ୍ଟର ଡୋଜ୍ ଦେବାକୁ ନିଷ୍ପତ୍ତି ହୋଇଛି।

ପୁରୀ ଜିଲ୍ଲାର ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିଲା। ଶ୍ରୀମନ୍ଦିର କାର୍ଯ୍ୟାଳୟର ବହୁ ଅଧିକାରୀ, କର୍ମଚାରୀଙ୍କ ସହ ସେବାୟତ ବି ସଂକ୍ରମିତ ହୋଇଥିଲେ । ମହାପ୍ରଭୁଙ୍କ ନୀତିକାନ୍ତି ବି ପ୍ରଭାବିତ ହେବା ଆଶଙ୍କା ରହିଥିଲା । ଏହି ଦୃଷ୍ଟିରୁ ଛତିଶାନିଯୋଗ ନିଷ୍ପତ୍ତିକ୍ରମେ ଶ୍ରୀମନ୍ଦିର ପ୍ରଶାସନ ମାସକ ପାଇଁ ଶ୍ରୀମନ୍ଦିର ବନ୍ଦ ଘୋଷଣା କରିଥିଲା ।
ଏ ଭିତରେ ସଂକ୍ରମଣ ସେତେ କମି ନଥିଲେ ବି ସ୍ଥିତି କିଛିଟା ନିୟନ୍ତ୍ରଣରେ ରହିଛି। ଏହି ଦୃଷ୍ଟିରୁ ଫେବ୍ରୁଆରିରୁ ଶ୍ରୀମନ୍ଦିର ଖୋଲିପାରେ ବୋଲି ସେବାୟତ ମହଲ ମତ ଦେଇଛନ୍ତି । ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଛତିଶାନିଯୋଗ ବୈଠକ କେବେ ହେବ, ସେ ନିଷ୍ପତ୍ତି ନିଆଯାଇନି । ଛତିଶାନିଯୋଗ ବୈଠକରେ ହିଁ ଶ୍ରୀମନ୍ଦିର ଖୋଲିବ କି ଖୋଲିବନି, ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।