‘ମାସ୍କ’ କିଣା ଦୁର୍ନୀତିକୁ ନେଇ ବିଧାନସଭା ହୁଲସ୍ତୁଲ

ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟରେ ମାସ୍କ ଏବଂ ପିପିଇ କିଟ୍ କିଣାରେ ହୋଇଥିବା ଦୁର୍ନୀତି ପ୍ରସଙ୍ଗ ଉଠାଇ ଆଜି ବିଧାନସଭାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। କରୋନା ମୁକାବିଲାରେ ସରକାର ସଫଳ ହୋଇଥିବା କଥା କହୁଥିବା ବେଳେ ‘ବ୍ଲାଙ୍କ ଚେକ୍’ କଥା ଦୋହରାଇ ପୁଣି ସରକାରଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ।

ଲକ ଡାଉନ ମଧ୍ୟରେ ରାଜ୍ୟ ସରକାର କୋଟି କୋଟି ଟଙ୍କାର ମାସ୍କ ଏବଂ ପିପିଇ କିଟ୍ କିଣିଛନ୍ତି। ଏଥିପାଇଁ ଏକ କମିଟି ମଧ୍ୟ ଗଠନ କରିଥିଲେ। ଯାହାର ଅଧ୍ୟକ୍ଷ ଥିଲେ ବରିଷ୍ଠ ଆଇଏଏସ ହେମନ୍ତ ଶର୍ମା। ସେ ନିଜେ ମୁଖ୍ୟମନ୍ତ୍ରୀ ବ୍ଲାଙ୍କ ଚେକ୍ ପ୍ରଦାନ କରିଥିବା କଥା କହିଥିଲେ। ପରେ ଦୁର୍ନୀତି କଥା ପଦାକୁ ଆସିବାରୁ କମିଟି ଭାଙ୍ଗି ଦିଆଯାଇଥିଲା ହେଲେ ହେମନ୍ତ ଶର୍ମାଙ୍କ ପିଛା ଛାଡ଼ିନଥିଲା ବିବାଦ। ନିକଟରେ ହେମନ୍ତ ଶର୍ମା ଏବଂ ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡ଼ଙ୍ଗୀ ଏନେଇ ଲୋକାୟୁକ୍ତଙ୍କ ନିକଟରେ ପକ୍ଷ ରଖିବାକୁ ହାଜର ହୋଇଥିଲେ।

ଧାର୍ଯ୍ୟ ଦରରୁ ଅଧିକା ମୂଲ୍ୟରେ ଓଡ଼ିଶା ସରକାର ତାମିଲ୍ କମ୍ପାନୀ ଠାରୁ ମାସ୍କ ଏବଂ ପିପିଇ କିଟ୍ କିଣିଥିବା ଅଭିଯୋଗ ହୋଇଥିଲା। ଯୋଗକୁ ଯେତେବେଳେ ମାସ୍କ ଭର୍ତ୍ତି ଟ୍ରକ ରାଜଧାନୀରେ ପହଞ୍ଚିଥିଲା ଏହାକୁ କେହି ଗ୍ରହଣ କରିନଥିଲେ। ତା ପରେ ଗୋଟେ ପରେ ଗୋଟେ ଖିଅ ବାହାରିବାରେ ଲାଗିଥିଲା। ବିପତ୍ତି ସମୟରେ କିଭଳି ମନଇଚ୍ଛା ଅଧିକାରୀଙ୍କ ହାତରେ ରାଜ୍ୟର ପାଣ୍ଠିକୁ ମୁଖ୍ୟମନ୍ତ୍ରୀ ଟେକି ଦେଇଥିଲେ ଏନେଇ ଟାର୍ଗେଟ କରିଥିଲେ ବିରୋଧୀ।