ଭାରତୀୟ ବ୍ୟାଙ୍କରେ ନିବେଶ କଲା ‘ପିପୁଲ୍ସ‌ ବ୍ୟାଙ୍କ ଅଫ୍ ଚାଇନା’

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ଚୀନ ସାମଗ୍ରୀ ବର୍ଜନ ପାଇଁ ଟ୍ରେଣ୍ଡ ଚାଲିଛି। ଏଭଳି ସ୍ଥିତିରେ ‘ପିପୁଲ୍ସ‌ ବ୍ୟାଙ୍କ୍ ଅଫ୍ ଚାଇନା’ ‘ଆଇସିଆଇସିଆଇ’ ବ୍ୟାଙ୍କ୍‌ରେ ଅର୍ଥ ବିନିଯୋଗ କରିବା ଆଲୋଡ଼ନ ସୃଷ୍ଟି କରିଛି।

ଏବର୍ଷ ପ୍ରାରମ୍ଭରେ ମଧ୍ୟ ‘ଏଚ୍‌ଡିଏଫ୍‌ସି’ ବ୍ୟାଙ୍କ୍‌ରେ ଅର୍ଥ ନିବେଶ କରି ଚୀନ୍‌ର ଏହି କେନ୍ଦ୍ରୀୟ ବ୍ୟାଙ୍କ୍ ଭାରତୀୟ ବଜାରରେ ଆଲୋଡ଼ନ ସୃଷ୍ଟି କରିଥିଲା। ‘ଆଇସିଆଇସିଆଇ’ ବ୍ୟାଙ୍କ୍‌ର ୧୫, ୦୦୦ କୋଟି ଟଙ୍କା ପୁଞ୍ଜି ସଂଗ୍ରହ ଅଭିଯାନରେ ଚୀନ୍‌ର ଏହି ବ୍ୟାଙ୍କ୍ ଅନ୍ୟତମ ନିବେଶକ ଭାବେ ଉଭା ହୋଇଛି। ‘କ୍ବାଲିଫାଏଡ୍‌ ଇନ୍‌ଷ୍ଟିଚ୍ୟୁଟ୍‌ନାଲ୍ ପ୍ଲେସ୍‌ମେଣ୍ଟ୍‌ ନିୟମରେ ‘ପିପୁଲ୍‌ସ୍‌ ବ୍ୟାଙ୍କ୍ ଅଫ୍ ଚାଇନା’ ଘରୋଇ ବ୍ୟାଙ୍କ୍ ‘ଆଇସିଆଇସିଆଇ’କୁ ୧୫ କୋଟି ଟଙ୍କାର ଚେକ୍ ଦସ୍ତଖତ କରି ଦେଇଛି।

ଘରୋଇ ମ୍ୟୁଚୁଆଲ୍‌ ଫଣ୍ଡ୍ସ, ବୀମା କମ୍ପାନି ଏବଂ ଏ ସବୁର ଗ୍ରାହକ ଥିବା ବୈଶ୍ବିକ ପ୍ରତିଷ୍ଠାନଗୁଡ଼ିକ ସମତେ ୩୫୭ଟି ପ୍ରତିଷ୍ଠାନିକ ନିବେଶକ ମଧ୍ୟରୁ ‘ପିପୁଲ୍‌ସ୍‌ ବ୍ୟାଙ୍କ୍ ଅଫ୍ ଚାଇନା’ ଅନ୍ୟତମ। ବିଶେଷଜ୍ଞମାନଙ୍କ କହିବା ଅନୁସ‌ାରେ, ବ୍ୟାଙ୍କିଙ୍ଗ୍ ଉଚ୍ଚମାନର ନିୟନ୍ତ୍ରିତ ବ୍ୟବସାୟ ହୋଇଥିବାରୁ ଚୀନ୍‌ର ଏହି ବ୍ୟାଙ୍କ୍ ସମ୍ପ୍ରତି ‘ଆଇସିଆଇସିଆଇ’ ବ୍ୟାଙ୍କ୍‌ରେ କରିଥିବା ବିନିଯୋଗ ପ୍ରତି କୌଣସି ବିପଦ ନାହିଁ।