ଭୁବନେଶ୍ୱର : ରାଜ୍ୟ ନିର୍ବାଚନ କମିଶନ ପୌର ନିର୍ବାଚନ ଲାଗି ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଫେବୃଆରୀ ୧୦ରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବ। ପରେ ଆପତ୍ତି ଅଭିଯୋଗ ପାଇଁ ୬ ଦିନ ସମୟ ଦିଆଯିବ। ଫେବୃଆରୀ ୧୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଲୋକମାନେ ଦାବି ଓ ଆପତ୍ତି ଅଭିଯୋଗ ଦାଖଲ କରିପାରିବେ। ୧୮ ତାରିଖ ସୁଦ୍ଧା ଏହା ଫଇସଲା ହେବ। ତାଲିକାରେ ନୂଆ ଭୋଟରଙ୍କ ନାମ ଉଠିବ ନାହିଁ। କେବଳ ୱାର୍ଡ଼ ପରିବର୍ତ୍ତନ ହୋଇପାରିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ କହିଛନ୍ତି।
ଫେବୃଆରୀ ୨୪ରେ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ହେବ ଓ ୨୮ରେ ନିର୍ବାଚନ କମିଶନଙ୍କୁ ଭୋଟର ତାଲିକା ପ୍ରଦାନ କରାଯିବ। ଏହାସହ ୨୮ ସୁଦ୍ଧା ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟ ସରିବ ବୋଲି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢ଼ୀ କହିଛନ୍ତି। ରାଜ୍ୟର ୪୮ NAC, ୫୯ ମ୍ୟୁନିସିପାଲିଟି ଓ ୩ ମହାନଗର ପାଇଁ ତାଲିକା ପ୍ରକାଶ ପାଇବ ବୋଲି ସେ କହିଛନ୍ତି।
ରାଜ୍ୟର ୧୦୭ ପୌରାଞ୍ଚଳ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ମୋଟ ୧୭୫୬ ୱାର୍ଡରୁ ୬୬୮ ଅଣସଂରକ୍ଷିତ, ଅନୁସୂଚିତ ଜାତି ପାଇଁ ୧୨୨, ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୧୭୧ ୱାର୍ଡ ସଂରକ୍ଷିତ । ସେହିପରି ଅନୁସୂଚିତ ଜନଜାତି ପୁରୁଷ ପାଇଁ ୪୯ ଓ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୧୩୩ ୱାର୍ଡ ସଂରକ୍ଷିତ ରଖାଯାଇଛି । ତେବେ ମହିଳାମାନଙ୍କ ପାଇଁ ୬୧୩ ୱାର୍ଡ ସଂରକ୍ଷିତ ରହିଥିବା ସରକାର ଘୋଷଣା କରିଛନ୍ତି ।