୨୦୧୯ରେ ଦିନକୁ ହୋଇଛି ୮୭ଟି ରେପ୍

ନୂଆଦିଲ୍ଲୀ: ଗତ ବର୍ଷ ଅର୍ଥାତ୍ ୨୦୧୯ରେ ପଞ୍ଜିକୃତ ହୋଇଥିବା ଅପରାଧିକ ମାମଲାକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ରଖିଛି ନ୍ୟାସନାଲ କ୍ରାଇମ୍ ରେକର୍ଡ଼ ବ୍ୟୁରୋ(ଏସିଆରବି)। ସଂସ୍ଥା ପକ୍ଷରୁ ଜାରି ଡାଟା ଦର୍ଶାଇଛି ଯେ ୨୦୧୮ ତୁଳନାରେ ୨୦୧୯ରେ ମହିଳାଙ୍କ ବିରୋଧରେ ଅପରାଧିକ ମାମଲା ୭ ପ୍ରତିଶତ ବଢ଼ିଛି।

ମହିଳାଙ୍କ ଉପରେ ଅତ୍ୟାଚାରର ୪ ଲକ୍ଷ ୫ ହଜାର ୮୬୧ଟି ମାମଲା ୨୦୧୯ରେ ପଞ୍ଜିକୃତ ହୋଇଛି। ଯେଉଁଥିରେ ଉଲ୍ଲେଖ ରହିଛି ଯେ ଦିନକୁ ହାରାହାରି ୮୭ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ନିକଟରେ ପ୍ରକାଶିତ ହୋଇଥିବା ଏନସିଆରବି ରିପୋର୍ଟ ଏଭଳି ସାଂଘାତିକ ତଥ୍ୟ ଦର୍ଶାଇଛି। ୨୦୧୮ ତୁଳନାରେ ମାମଲା ସଂଖ୍ୟା ୭ ପ୍ରତିଶତ ବୃଦ୍ଧି ପାଇବା ଦେଶର ଦୁର୍ବଳ ଆଇନ କାନୁନ ବ୍ୟବସ୍ଥାର ନଗ୍ନ ଚିତ୍ର ପଦାରେ ପକାଇଛି।

ସେହିଭଳି ଶିଶୁଙ୍କ ଉପରେ ଅତ୍ୟାଚାରର ମୋଟ ୧.୪୮ ଲକ୍ଷ ମାମଲା ୨୦୧୯ରେ ପୋଲିସ ପାଖରେ ପହଞ୍ଚିଛି। ଯାହା ମଧ୍ୟରେ ୪୬.୬ ପ୍ରତିଶତ ମାମଲା କେବଳ ଅପହରଣ ଏବଂ ବାକି ୩୫.୩ ପ୍ରତିଶତ ମାମଲା ଯୌନ ଉତ୍ପୀଡ଼ନ ଅଭିଯୋଗ ନେଇ ପଞ୍ଜିକୃତ ହୋଇଛି। ଅଧିକରୁ ଅଧିକ ଫାଷ୍ଟଟ୍ରାକ୍ କୋର୍ଟ ପ୍ରତିଷ୍ଠା ସହ ପୋସ୍କୋ ଆକ୍ଟକୁ ଆହୁରି କଡ଼ାକଡ଼ି କରିବାର କେତେ ଆବଶ୍ୟକତା ରହିଛି ଏଥିରୁ ସ୍ପଷ୍ଟ ଅନୁମେୟ।