ଆଇପିଏସ୍ ଗଜଭିୟେଙ୍କୁ ଡବଲ ପ୍ରମୋସନ

ଭୁବନେଶ୍ୱର : ୨୦୦୨ ବ୍ୟାଚ୍ ଆଇପିଏସ୍ ଗଜଭିୟେ ସତୀଶ କୁମାର ଈଶ୍ୱରଦାସଙ୍କୁ ଆଜି ରାଜ୍ୟ ସରକାର ପିଛିଲା ଭାବେ ଡବଲ ପ୍ରମୋସନ ଦେଇଛନ୍ତି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ୨୦୨୧ ଡିସେମ୍ବରରେ ତାଙ୍କ ବିରୁଦ୍ଧରେ ଥିବା ସମସ୍ତ ଶୃଙ୍ଖଳାଗତ ମାମଲାକୁ ରାଜ୍ୟ ସରକାର ଖାରଜ କରିବା ପରେ ଆଜି ତାଙ୍କୁ ପିଛିଲା ଭାବେ ଡିଆଇଜି ଓ ଆଇଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ଶ୍ରୀ ଗଜଭିୟେ ଏବେ ଭୁବନେଶ୍ୱର ସହରାଂଚଳ ପୁଲିସ ଓ ଟ୍ରାଫିକ୍ ସ୍କୁଲର ପ୍ରିନ୍ସିପାଲ ଭାବେ କାର୍ଯ୍ୟ କରୁଛନ୍ତି।

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୨୦୦୨ ବ୍ୟାଚ୍ ଆଇପିଏସ୍ ଶ୍ରୀ ଗଜଭିୟେ ୨୦୧୬ ଫେବୃୟାରୀ ୨୩ତାରିଖରୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ପାଇବା ସହ ସମସ୍ତ ପ୍ରକାରର ସୁବିଧାସୁଯୋଗ ପାଇବେ । ସେହିପରି ୨୦୨୦ ଜାନୁୟାରୀ ୧ରୁ ଶ୍ରୀ ଗଜଭିୟେ ମଧ୍ୟ ଆଇଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ସେ ଉକ୍ତ ତାରିଖରୁ ଆଇଜି ପାହ୍ୟାର ସମସ୍ତ ସୁଯୋଗ ପାଇବେ । ଏହି ଦୁଇଟି ବିଜ୍ଞପ୍ତି ଆଜି ଏକକାଳୀନ ପ୍ରକାଶ ପାଇଥିଲେ ମଧ୍ୟ ଶ୍ରୀ ଗଜଭିୟେ ପିଛିଲା ଭାବେ ଏହି ସୁବିଧାସୁଯୋଗ ପାଇବେ । ସୂଚନାଯୋଗ୍ୟ, ଶ୍ରୀ ଗଜଭିୟେ କେନ୍ଦ୍ରାପଡ଼ା ପୁଲିସ ଏସପି ଥିବାବେଳେ ସାରଥୀ ବାବା ମାମଲାରେ ବେଶ୍ ବିବାଦୀୟ ହୋଇପଡ଼ିଥିଲେ ।