ଆସନ୍ତାକାଲି ଉତ୍ତରପ୍ରଦେଶରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ

ଉତ୍ତରପ୍ରଦେଶ: ଆସନ୍ତାକାଲି ଉତ୍ତରପ୍ରଦେଶରେ ୫୫ଟି ବିଧାନସଭା ଆସନ ପାଇଁ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ହେବ। ଅନ୍ୟ ପଟେ ଆସନ୍ତାକାଲି ମଧ୍ୟ ଉତ୍ତରାଖଣ୍ଡ ଓ ଗୋଆରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ସ୍ଵଛ ଏବଂ ଅବାଧ ନିର୍ବାଚନ ଲାଗି ବିଭିନ୍ନ ମତଦାନ କେନ୍ଦ୍ରଗୁଡିକୁ କର୍ମଚାରୀମାନଙ୍କୁ ପଠାଇବା କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ମିଳିଛି। ୭ଟି ପର୍ଯ୍ୟାୟରେ ହେଉଥିବା ଏହି ବିଧାନସଭା ନିର୍ବାଚନ ଚଳିତ ମାସ ୧୦ରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ମାସ ୭ରେ ଶେଷ ହେବ।

ଉତ୍ତରପ୍ରଦଶର ୯ଟି ଜିଲ୍ଲାର ୫୫ଟି ବିଧାନସଭା ଆସନ ପାଇଁ ୫୮୬ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେଥିମଧ୍ୟରୁ ୯ଟି ଆସନ ତଫସିଲଭୁକ୍ତ ଜାତି ପାଇଁ ସଂରକ୍ଷିତ ରହିଛି। ଆସନ୍ତାକାଲି ମଟଗ୍ରହଣ ହେବାକୁ ଥିବା ୯ଟି ଜିଲ୍ଲା ହେଉଛି ସାହାରଣପୁର, ବିଜନର, ଅମରୋହା, ମୋରାଦାବାଦ, ରାମପୁର, ବରେଲି, ଶାହାଜାହାନପୁର ବଦାୟୁ ଏବଂ ସଂଭଲ। ସେଠାରେ ୫୫ଟି ଆସନ ମଧ୍ୟରୁ ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକଦଳ କେବଳ ୩ଟି ଆସନରେ ପ୍ରତିଦ୍ବନ୍ଦିତା କରୁଛି।