ମୁମ୍ବାଇ: ବଲିଉଡ୍ର ଡ୍ରାମା କୁଇନ୍ ତଥା ବିଗ୍ବସ୍ ଶୋର ଜଣାଶୁଣା ରାକ୍ଷୀ ସାୱନ୍ତ ନିଜ ସ୍ୱାମୀଙ୍କ ଠାରୁ ପୁଣି ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ରାକ୍ଷୀ ଏକ ପୋଷ୍ଟ କରି ସୋସିଆଲ ମିଡିଆରେ ଏହା ଜଣାଇଛନ୍ତି। ପ୍ରଥମ ଥର ପାଇଁ ରାକ୍ଷୀ ସାୱନ୍ତ ସ୍ୱାମୀ ରିତେଶଙ୍କ ସହ ବିଗ୍ ବସ୍-୧୫ରେ ନଜର ଆସିଥିଲେ। ଏହା ପୂର୍ବରୁ ସମସ୍ତେ କେବଳ ରିତେଶଙ୍କ ବିଷୟରେ ଶୁଣିଥିଲେ। ହେଲେ କେବେ ଦେଖି ନଥିଲେ । ଉଭୟଙ୍କୁ ଶୋ’ରେ ଏକାଠି ରୋମାନ୍ସ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ ଏବେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।
ଦୁହେଁ ଅଲଗା ହେବା ନେଇ ଇନ୍ଷ୍ଟାଗ୍ରାମରେ ରାକ୍ଷୀ ନିଜେ ସୂଚନା ଦେଇଛନ୍ତି। ରାକ୍ଷୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି କି, ପ୍ରିୟ ପ୍ରଶଂସକ ଏବଂ ଶୁଭେଚ୍ଛୁ, ମୁଁ କହିବାକୁ ଚାହେଁ ଯେ ରିତେଶ ଏବଂ ମୁଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ‘ବିଗ ବସ’ ଶୋ ପରେ ବହୁତ କିଛି ଘଟି ଯାଇଛି । ମୁଁ କିଛି ଜିନିଷ ବିଷୟରେ ଜାଣି ନ ଥିଲି, ଯାହା ମୋ ନିୟନ୍ତ୍ରଣ ବାହାରେ ଥିଲା। ଆମେ ଆମର ମତଭେଦକୁ ଦୂର କରିବା ପାଇଁ ଚେଷ୍ଟା କରିଛୁ। କିନ୍ତୁ ମୁଁ ଭାବୁଛି ଏହା ଭଲ ଯେ ଆମେ ଦୁହେଁ ଭଲ ଭାବରେ ଆଗକୁ ବଢିବୁ ଏବଂ ଆମେ ଦୁହେଁ ଅଲଗା ଅଲଗା ହୋଇ ଜୀବନକୁ ଉପଭୋଗ କରିବୁ।
ସେ ଆହୁରି ମଧ୍ୟ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ମୁଁ ପ୍ରକୃତରେ ଦୁଃଖିତ ଯେ ଭାଲେଣ୍ଟାଇନ୍ସ ଡେ ପୂର୍ବରୁ ଏମିତି ଘଟିଛି, ଯେଉଁଥିପାଇଁ ଏମିତି ନିଷ୍ପତ୍ତି ନେବାକୁ ପଡିଛି। ମୁଁ ରିତେଶଙ୍କୁ ଶୁଭକାମନା ଜଣାଉଛି, କିନ୍ତୁ ଜୀବନର ଏହି ପର୍ଯ୍ୟାୟରେ ମୋ ପାଇଁ ମୋର କାର୍ଯ୍ୟ ଏବଂ ମୋ ଜୀବନ ଉପରେ ଧ୍ୟାନ ଦେବାକୁ ପଡିବ। ନିଜକୁ ଖୁସି ଏବଂ ସୁସ୍ଥ ରଖିବାକୁ ପଡିବ। ମୋତେ ସବୁବେଳେ ବୁଝିଥିବା ଏବଂ ସମର୍ଥନ କରିଥିବାରୁ ଧନ୍ୟବାଦ !