ଚତୁର୍ଥ ଦିନିକିଆରେ ବି ହାରିଲା ଭାରତୀୟ ମହିଳା ଟିମ୍

କ୍ୱିନ୍ସଲାଣ୍ଡ : ଆମେଲିଆ କେର୍‌ଙ୍କ ଅଲ୍‌ରାଉଣ୍ଡ୍ ପ୍ରଦର୍ଶନ ବଳରେ ନ୍ୟୁଜିଲାଣ୍ଡ ମଙ୍ଗଳବାର ବର୍ଷା ବାଧାପ୍ରାପ୍ତ ଚତୁର୍ଥ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୬୩ ରନ୍‌ରେ ପରାଜିତ କରିଛି। ଏହି ବିଜୟ ଫଳରେ ନ୍ୟୁଜିଲାଣ୍ଡ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ୪-୦ରେ ଅଗୁଆ ରହି କ୍ଲିନ୍‌ସ୍ୱିପ୍ ଦିଗରେ ଅଗ୍ରସର ହୋଇଛି। ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ନ୍ୟୁଜିଲାଣ୍ଡ ଆମେଲିଆ କେର୍‌ଙ୍କ ୩୩ ବଲ୍‌ରେ ଅପରାଜିତ ୬୮ ଏବଂ ସୁଜି ବେଟ୍ସଙ୍କ ୨୬ ବଲ୍‌ରେ ୪୧ ରନ୍ ସହାୟତାରେ ୨୦ ଓଭର୍‌ରେ ୫ ୱିକେଟ୍ ହରାଇ ୧୯୧ ରନ୍‌ର ବିଶାଳ ସ୍କୋର୍ ଛିଡ଼ା କରିଥିଲା। ଜବାବରେ ଭାରତର ଶୀର୍ଷକ୍ରମ ଭୁଶୁଡ଼ି ପଡ଼ିବା ସହ ଟିମ୍ ୧୯ ରନ୍‌ରେ ୪ଟି ୱିକେଟ୍ ହରାଇଥିଲା। ଶେଷରେ ୧୭.୫ ଓଭର୍‌ରେ ମାତ୍ର ୧୨୮ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା । ୱିକେଟ୍‌କିପର୍ ବ୍ୟାଟର୍ ରୁଚା ଶର୍ମା ଭାରତ ପକ୍ଷରୁ ସର୍ବାଧିକ ୫୨ ରନ୍ କରିଥିଲେ।

ଭାରତୀୟ ବୋଲର୍‌ଙ୍କ ପ୍ରଦର୍ଶନ ପ୍ରତି ପରବର୍ତ୍ତୀ ମ୍ୟାଚ୍‌ରେ ଖରାପ ଥିଲା ଏବଂ ମଙ୍ଗଳବାର ମ୍ୟାଚ୍‌ରେ ସେମାନେ ସବୁଠୁ ଖରାପ ପ୍ରଦର୍ଶନ କରିଥିଲେ। ଖରାପ ଫର୍ମରେ ଥିବା ଅନ୍ତିମ ଏକାଦଶରୁ ବାଦ୍ ପଡ଼ିଥିବା ବେଳେ ଭାରତ ନିକଟରେ ୧୯୨ ରନ୍‌ର ଲକ୍ଷ୍ୟ ହାସଲ କରିବା କଷ୍ଟକର ଥିଲା। ଦୀର୍ଘ ସମୟ ଆଇସୋଲେସନ୍‌ରେ ଥିବା ସ୍ମୃତି ମନ୍ଧାନା (୧୩) ଲୟରେ ନଥିବା ଦେଖିବାକୁ ମିଳିଥିବା ବେଳେ ୟାସ୍ତିକା ଭାଟିଆ ଓ ଶେଫାଳୀ ବର୍ମା ଖାତା ମଧ୍ୟ ଖୋଲିବାକୁ ସକ୍ଷମ ହୋଇ ନଥିଲେ। ପଞ୍ଚମ ଓଭର୍‌ରେ ଭାରତର ସ୍କୋର୍ ୧୯ ରନ୍ ହେବା ଫଳରେ ମ୍ୟାଚ୍‌ର ଫଳାଫଳ ସୁନିଶ୍ଚିତ ହୋଇଯାଇଥିଲା। ରୁଚା ଓ କ୍ୟାପ୍‌ଟେନ୍ ମିତାଲି ରାଜ (୨୮ ବଲ୍‌, ୩୦ ରନ୍‌) ପଞ୍ଚମ ୱିକେଟ୍ ପାଇଁ ୬୭ ରନ୍ ଯୋଡ଼ିଥିଲେ, ଯାହା କେବଳ ପରାଜୟ ବ୍ୟବଧାନକୁ କମ୍ କରିଥିଲା। ରୁଚାଙ୍କ ଇନିଂସ୍‌ରେ ଚାରି ଚୌକା ଓ ସମାନ ସଂଖ୍ୟକ ଛକା ସାମିଲ ଥିଲା। ଆମେଲିଆଙ୍କ ଭଉଣୀ ଜେସ୍ କେର୍ ମଧ୍ୟ ଦୁଇଟି ୱିକେଟ୍ ନେଇଥିବା ବେଳେ ଫ୍ରାନ୍ସିସ୍ ମ୍ୟାକେ ଦୁଇଟି ଓ ହେଲ୍ ଜେନ୍‌ସନ୍ ୩ଟି ୱିକେଟ୍ ହାସଲ କରିଥିଲେ।