ଭାରତର ‘ମିଶନ୍‌ ଏୟାରଲିଫ୍ଟ’: ୧୬ ହଜାର ଭାରତୀୟଙ୍କୁ ଉଦ୍ଧାର ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ : ୟୁକ୍ରେନ୍‌ ହଜାର ହଜାର ଭାରତୀୟ ଫସିଛନ୍ତି । ଏହାରି ମଧ୍ୟରେ ନିଜ ଲୋକମାନଙ୍କୁ ଭାରତକୁ ଫେରାଇ ଆଣିବାକୁ କୂଟନୈତିକ ସ୍ତରରେ ବଡ ଧରଣର ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ଋଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟ୍ଟିନଙ୍କ ସହ ମଧ୍ୟ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୟୁକ୍ରେନ୍‌ ରେ ଫସିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ଉପରେ ପ୍ରାଥମିକତା ଦେଇଛନ୍ତି ସରକାର ।

ଏହା ପୂର୍ବରୁ ୟୁକ୍ରେନରେ ଫସିଥିବା ପ୍ରାୟ ୧୬ ହଜାର ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ସୁରକ୍ଷା ପରିଷଦ ବୈଠକ ଡାକିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଠକରେ ଭାରତୀୟଙ୍କୁ ୟୁକ୍ରେନରୁ ସୁରକ୍ଷିତ ଉଦ୍ଧାର କରିବା ସହିତ ସେମାନଙ୍କୁ ଭାରତକୁ ଫେରାଇ ଆଣିବା ଉପରେ ଗୁରୁତ୍ବ ଦିଆଯାଇଥିଲା । ଋଷ ଆକ୍ରମଣ ପରେ ବିମାନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଥିବାରୁ ହେଙ୍ଗରୀ, ପୋଲାଣ୍ଡ, ସ୍ଲୋଭାକିୟା ଏବଂ ରୋମାନିୟା ଦେଇ ସଡକ ପଥରେ ଭାରତୀୟଙ୍କୁ ଆଣିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର ।

ୟୁକ୍ରେନରେ ମୋଟ ୨୦ ହଜାର ଭାରତୀୟ ଫସିଥିଲେ । ସେମାନଙ୍କ ମଧ୍ୟରୁ ୪ ହଜାର ସୁରକ୍ଷିତ ଭାବେ ଭାରତ ଫେରିଆସିଛନ୍ତି । ହେଙ୍ଗରୀ, ପୋଲାଣ୍ଡ, ସ୍ଲୋଭାକିୟା ଏବଂ ରୋମାନିୟା ଦେଇ ସଡକ ପଥରେ ଭାରତୀୟଙ୍କୁ ଆଣିବାକୁ ସେଠିକାର ରାଜଦୂତଙ୍କ ସହ କଥାବାର୍ତ୍ତା ଚାଲିଛି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ମଧ୍ୟ ସେହି ଦେଶଗୁଡିକ ସହ ଆଲୋଚନା ଜାରି ରଖିଛନ୍ତି । ଯେତେ ଶୀଘ୍ର ସମ୍ଭବ ଭାରତୀୟଙ୍କୁ ଯୁଦ୍ଧ ମୁହଁରୁ ଫେରାଇ ଅଣାଯିବ ।