ହାଥରାସ ଗାଁକୁ ପ୍ରବେଶ ନିଷେଧ

ହାଥରାସ: ହାଥରାସ ଗଣଦୁଷ୍କର୍ମ ମାମଲାରେ ପୋଲିସ ଏବଂ ପ୍ରଶାସନର କାର୍ଯ୍ୟକାରିତା ଉପରେ ଆଙ୍ଗୁଠି ଉଠିଛି। କାରଣ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଗଣମାଧ୍ୟମ ସହିତ କଥାବାର୍ତ୍ତା କରିବାକୁ ବାରଣ କରାଯାଇଛି। ଗାଁରେ ପ୍ରବେଶ ଉପରେ ନିଷେଧାଦେଶ ଜାରି ହୋଇଛି । ଚାରି ପଟୁ ନାକାବନ୍ଦି କରିଛି ପୋଲିସ ।

ତେବେ ପୋଲିସ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ପୀଡିତାଙ୍କ ସହିତ ଦୁଷ୍କର୍ମ ହୋଇନଥିବା କହିଛି । ଏହି ମାମଲାରେ ପୋଲିସ ନିଜର ଅପାରଗତା ଓ ସତ୍ୟାସତ୍ୟ ଲୁଚାଇବାକୁ ଜୋରସୋରରେ ପ୍ରୟାସ ଚଳାଇଛି ବୋଲି ଅଭିଯୋଗ ହୋଇଛି । ଗତକାଲି ହାଥରସ ଜିଲ୍ଲାପାଳ ପୀଡିତାଙ୍କ ପରିବାର ଲୋକଙ୍କୁ ଧମକ ଦେଇଛନ୍ତି ଏବଂ ଗାଁରେ ଗଣମାଧ୍ୟମ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି । କୌଣସି ନେତାଙ୍କ ମଧ୍ୟ ଗାଁକୁ ଯିବାକୁ ଅନୁମତି ଦିଆଯାଉନାହିଁ। ପୋଲିସ ଉପରେ ଆଉ ଏକ ଅଭିଯୋଗ ଆସିଛି ଯେ ପୀଡ଼ିତାଙ୍କ ପରିବାର ଲୋକଙ୍କର ମୋବାଇଲ ଫୋନକୁ ପୋଲିସ ବନ୍ଦ କରିଛି। ଏହାକୁ ନେଇ ହାଥରାସ ଗଣଦୁଷ୍କର୍ମ ମାମଲାରେ ପୋଲିସ ଏବଂ ପ୍ରଶାସନର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଛି।

ଏନେଇ ଗୁରୁବାର ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କୁ ହାଥରସ ଯିବାକୁ ରୋକା ଯାଇଥିଲା ଏବଂ ସେଠାରୁ ସେମାନଂକୁ ଫେରାଇ ଦିଆଯାଇଥିଲା । ସେହିପରି ଆଜି ଟିଏମସି ସାଂସଦ ଡେରେକ ଓ ବ୍ରାୟନଙ୍କୁ ରୋକା ଯାଇଛି ଏବଂ ତାଙ୍କ ସହିତ ଦୁର୍ବ୍ୟବହାର ମଧ୍ୟ ହୋଇଛି। କେବଳ ଏତିକି ନୁହେଁ ଆଜି ଗାଁରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ ମଧ୍ଯ କଟକଣା ଜାରି କରାଯାଇଛି । ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ ପ୍ରଶାସନ ଓ ପୋଲିସ ମିଳିତ ଭାବେ ଘଟଣାର ସତ୍ୟାସତ୍ୟକୁ ଲୁଚେଇବାକୁ ଉଦ୍ୟମ କରୁଛନ୍ତି। ଗାଁ ଚାରି ପଟେ ପୋଲିସ ଛାଉଣୀ କରାଯାଇଛି ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଟକାଯାଉଛି।

ଏଠାରେ ସୂଚନାଥାଉକି ଶୁକ୍ରବାର ଲକ୍ଷ୍ନୌରେ ଏହି ଘଟଣାକୁ ନେଇ ସମାଜବାଦୀ ପାର୍ଟିର ନେତାଙ୍କ ଉପରେ ପୋଲିସ ଲାଠିଚାର୍ଜ କରିଛି । ଏଥିରେ ପାର୍ଟିର କର୍ମକର୍ତ୍ତା ଆହତ ହୋଇଛନ୍ତି।

ଅନ୍ୟପଟେ ସତ ଲୁଚାଇବାକୁ ଜୋରଦାର ପ୍ରୟାସ ଗତକାଲି ହାଥରସ ଜିଲ୍ଲାପାଳ ପ୍ରବୀଣ କୁମାରଙ୍କ ଭିଡିଓ ସାମ୍ନାକୁ ଆସିଥିଲା। ଜିଲ୍ଲାପାଳ ପରିବାର ଲୋକଙ୍କୁ କହୁଛନ୍ତି ମିଡିଆ ଆଜି ଅଛି, କାଲି ଚାଲିଯିବେ। ଆପଣଙ୍କୁ ଆମ ସହିତ ରହିବାକୁ ପଡିବ। ତେଣୁ ଯାହା ସାହାଯ୍ୟ ଦିଆଯାଉଛି ସ୍ଵୀକାର କରି ନିଅନ୍ତୁ। ଏଥିରୁ ସ୍ପଷ୍ଟ ଭାବେ ଜଣାପଡୁଛି ଯେ, ଜିଲ୍ଲାପାଳ ପରିବାର ଲୋକଙ୍କୁ ଧମକ ଦେଉଛନ୍ତି ଏବଂ ଘଟଣାକୁ ଚପାଇବାକୁ ଉଦ୍ୟମ କରୁଛନ୍ତି ।