ଟି-୨୦ରେ ରୋହିତଙ୍କ କ୍ୟାଚ ରେକର୍ଡ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ନୂଆ ଅଧିନାୟକ ରୋହିତ ଶର୍ମା ଗୋଟିଏ ପରେ ଗୋଟିଏ ରେକର୍ଡର ଭାଗିଦାରୀ ହେଉଛନ୍ତି । ସେ ପୁଣି ଏକ ରେକର୍ଡ କରିଛନ୍ତି । ଧର୍ମଶାଳାରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ମ୍ୟାଚରେ ରୋହିତ ନିଜର ୫୦ତମ କ୍ୟାଚ୍‌ ପୂରଣ କରିଛନ୍ତି । ସେ ନିଜର ୫୦ତମ କ୍ୟାଚ ଭାବେ ଶ୍ରୀଲଙ୍କା ବ୍ୟାଟସମ୍ୟାନ ଦିନେଶ ଚାନ୍ଦିମାଲଙ୍କ କ୍ୟାଚ୍‌ ନେଇଛନ୍ତି । ବୁମରାଙ୍କ ବଲରେ ଚାନ୍ଦିମାଲ ରୋହିତଙ୍କୁ କ୍ୟାଚ୍‌ ଦେଇ ପାଭିଲିୟନ ଫେରିଥିଲେ ।

ସେହିପରି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ୫୦ କ୍ୟାଚ୍‌ ନେବାରେ ରୋହିତ ଶର୍ମା ପ୍ରଥମ ଭାରତୀୟ ଭାବେ ସ୍ଥାନ ପାଇଛନ୍ତି । ତାଙ୍କ ପରେ ୪୩ କ୍ୟାଚ ନେଇ ଦ୍ୱିତୀୟରେ ଅଛନ୍ତି ବିରାଟ କୋହଲି ଏବଂ ୪୨ କ୍ୟାଚ ତୃତୀୟରେ ଅଛନ୍ତି ସୁରେଶ ରୈନା । ତେବେ ମହେନ୍ଦ୍ର ସିଂହ ଧୋନୀ ଟି-୨୦ରେ ୫୭ କ୍ୟାଚ୍‌ ଧରିଛନ୍ତି । ହେଲେ ସେ ଜଣେ ୱିକେଟ୍‌ କିପର । ସେହିପରି ଏହି ଫର୍ମାଟରେ ବିଶ୍ୱରେ ଅଧିକ କ୍ୟାଚ୍‌ ନେବା ତାଲିକାରେ ରୋହିତ ଶର୍ମା ତୃତୀୟରେ ଅଛନ୍ତି । ଦକ୍ଷିଣ ଆଫ୍ରିକାର ଡେଭିଡ୍‌ ମିଲର ୬୯ କ୍ୟାଚ ନେଇ ପ୍ରଥମରେ ଥିବାବେଳେ ନ୍ୟୁଜିଲାଣ୍ଡର ମାର୍ଟିନ ଗୁପଟିଲ୍‌ ୬୪ କ୍ୟାଚ୍‌ ନେଇ ଦ୍ୱିତୀୟରେ ରହିଛନ୍ତି ।