ଆଜିଠୁ ପୌର ନିର୍ବାଚନ ନାମାଙ୍କନ ଦାଖଲ,୯ରେ ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବା ପରେ ଏବେ ବିଭିନ୍ନ ରାଜନୈତିକ ଦଳ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରି ଦେଇଛନ୍ତି । ଏ ନେଇ ସୋମବାର ବିଧିବଦ୍ଧ ଭାବେ ନିର୍ବାଚନ ଅଧିକାରୀମାନେ ବିଜ୍ଞପ୍ତି ଜାରି କରିସାରିଛନ୍ତି । ବୁଧବାର ଏହି ଭୋଟ ନିମନ୍ତେ ନାମାଙ୍କନପତ୍ର ଦାଖଲ କରାଯିବ । ଏ ନେଇ ଆଶାୟୀମାନେ ସେମାନଙ୍କ ସମର୍ଥକମାନଙ୍କ ସହ ଘର ଘର ବୁଲି ସମର୍ଥନ ଯୋଗାଡ କରିବାରେ ଲାଗି ପଡ଼ିଛନ୍ତି । ନାମାଙ୍କନ ପ୍ରକ୍ରିୟା ୨ ତାରିଖରୁ ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ସେହିପରି ୯ ତାରିଖରେ ପ୍ରାର୍ଥି ପତ୍ର ଯାଞ୍ଚ କରାଯିବ ଓ ସେହିଦିନ ସନ୍ଧ୍ୟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୨୪ ତାରିଖରେ ଭୋଟଗ୍ରହଣ କରାଯାଇ ୨୬ ତାରିଖରେ ଫଳାଫଳ ପ୍ରକାଶିତ ହେବ । ଏହି ନିର୍ବାଚନ ପାଇଁ ଏବେଠୁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଟିକେଟ ପାଇବା ନିମନ୍ତେ ଲବି ମଧ୍ୟ ଆରମ୍ଭ କରି ଦେଇଛନ୍ତି । ମୁଖ୍ୟତଃ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନଙ୍କ ମଧ୍ୟରେ ଲଢେଇ ହେବ ।

ରାଜ୍ୟର ମୋଟ ୧୦୬ ପୌରପାଳିକା ଓ ୩ଟି ମହାନଗର ନିଗମ ନିମନ୍ତେ ଏହି ବିଜ୍ଞପ୍ତି ଜାରି କରାଯାଇଛି । ୧୦୬ ପୌରପାଳିକା ମଧ୍ୟରେ ୪୭ଟି ପୌର ପରିଷଦ ରହିଥିବା ବେଳେ ୫୯ଟି ଏନ୍‌ଏସି ରହିଛି । ତେବେ ଅଦାଲତି ମାମଲା ଯୋଗୁଁ ପୁରୀ ପୌର ପରିଷଦ ପାଇଁ ବିଜ୍ଞପ୍ତି ଜାରି କରାଯାଇନାହିଁ । ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ନିର୍ବାଚନ ଅଧିକାରୀମାନେ ବିଜ୍ଞପ୍ତି ଜାରି କରିଛନ୍ତି ।