ନୂଆଦିଲ୍ଲୀ: ମୋହାଲିର ପିସିଏ ଷ୍ଟାଡିୟମରେ ଖେଳାଯାଉଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଦଳର ତାରକା ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ବଡ ରେକର୍ଡ କରିଛନ୍ତି । ଅନ୍ୟପକ୍ଷରେ ଟେଷ୍ଟ କ୍ରିକେଟରେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ ନେବାର ରେକର୍ଡ ଅନିଲ କୁମ୍ବଲେ ଓ ଦ୍ୱିତୀୟରେ କପିଲ ଦେବଙ୍କ ନାମରେ ରହିଛି । ତେବେ ଅଶ୍ୱିନ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ୫ ୱିକେଟ ନେଇ ମାତ୍ରେ କପିଲ ଦେବଙ୍କ ୪୩୪ ୱିକେଟ୍ ଅତିକ୍ରମ କରିଛନ୍ତି । ଅନିଲ କୁମ୍ବଲେ ଭାରତ ପକ୍ଷରୁ ସର୍ବାଧିକ ୬୧୯ ଟେଷ୍ଟ ୱିକେଟ ନେଇଛନ୍ତି । ଭାରତ ତରଫରୁ ସର୍ବାଧିକ ଟେଷ୍ଟ ୱିକେଟ୍ ନେବା ତାଲିକାରେ ହରଭଜନ ସିଂହ ଚତୁର୍ଥ ସ୍ଥାନରେ ଅଛନ୍ତି । ଇଶାନ୍ତ ଶର୍ମା ଏବଂ ଜାହିର ଖାନ ଉଭୟ ପଞ୍ଚମରେ ଅଛନ୍ତି ।
ସୂଚନାଯୋଗ୍ୟ ଯେ, ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ଅଧିକ ୱିକେଟ୍ ନେବାରେ ମୁଥୟା ମୁରଲୀଧରଣଙ୍କ ନାମରେ ରହିଛି । ସେ ଟେଷ୍ଟରେ ୮୦୦ ୱିକେଟ ନେଇଥିବା ବେଳେ ସେନ ୱର୍ଣ୍ଣ ୭୦୮ ୱିକେଟ୍ ସହିତ ଦ୍ୱିତୀୟ, ଜେମ୍ସ ଆଣ୍ଡରସନ ୬୪୦ ୱିକେଟ ନେଇ ତୃତୀୟ ଓ ୬୧୯ ୱିକେଟ୍ ନେଇ ଅନିଲ କୁମ୍ବଲେ ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି ।