ରୁଷକୁ ନିନ୍ଦା ନକରିବାରୁ ବାଂଲାଦେଶକୁ ମହଙ୍ଗା ପଡିଲା: ମିଳିବନି କୋଭିଡ ଟିକା

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଯୁଦ୍ଧ ୧୪ ଦିନରେ ପହଞ୍ôଚଛି । ରୁଷର ଘନ ଘନ ମିସାଇଲ ମାଡରେ ଛାରଖାର ହୋଇଗଲାଣି ୟୁକ୍ରେନର ଅନେକ ସହର । ଏହା ମଧ୍ୟରେ କିଛି ଦେଶ ୟୁକ୍ରେନ ସପକ୍ଷରେ ଥିବାବେଳେ ଆଉ କିଛି ଦେଶ ରୁଷ ସପକ୍ଷରେ ଅଛନ୍ତି । ଅନ୍ୟପକ୍ଷରେ ଅନେକ ଦେଶ ମଧ୍ୟରେ ଏହି ଭୟଙ୍କର ଯୁଦ୍ଧ ବନ୍ଦ କରି ଉଭୟ ଦେଶ ଶାନ୍ତି ଆଲୋଚନା ମାଧ୍ୟରେ ସମାଧାନ କରିବାକୁ ଅନୁରୋଧ କରିଛନ୍ତି । ମାତ୍ର ରୁଷକୁ ନିନ୍ଦା ନକରିବା କାରଣରୁ ବାଂଲାଦେଶକୁ କୋଭିଡ ଟିକାକୁ ନେଇ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି ।

ସୂଚନାଯୋଗ୍ୟ ଯେ, ୟୁଏନସିରେ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷ ବିରୋଧରେ ନିନ୍ଦା ପ୍ରସ୍ତାବ ନେଇ ମତଦାନ ହୋଇଥିଲା । ଏଥିରେ ୧୪୧ ଦେଶ ପ୍ରସ୍ତାବ ସପକ୍ଷରେ ମତଦାନ କରିଥିବା ବେଳେ ୫ ଦେଶ ଏହି ମତଦାନକୁ ବିରୋଧ କରିଥିଲେ । ସେହିପରି ୩୫ ଦେଶ ଏହି ମତଦାନରୁ ଦୂରେଇ ରହିଥିଲେ । ଏହି ୩୫ ଦେଶ ମଧ୍ୟରେ ସାମିଲ ବାଂଲାଦେଶ । ବାଂଲାଦେଶର ଏହି ପଦକ୍ଷେପ କାରଣରୁ ଲିଥୁଆନିଆ ବାଂଲାଦେଶକୁ କୋଭିଡ ଟିକା ପଠାଇବା ନିଷ୍ପତ୍ତିକୁ ରଦ୍ଦ କରି ଦେଇଛି । ଏନେଇ ଲିଥୁଆନିଆର ପ୍ରଧାନମନ୍ତ୍ରୀ ଇଙ୍ଗିଡ୍ରା ସିମୋନିଟିର ମୁଖପାତ୍ର ଏଲଆରଟି ଏହାର ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ବାଂଲାଦେଶ ମିଳିତ ଜାତିସଂଘ ମହାସଭାରେ ୟୁକ୍ରେନ ସାର୍ବଭୌମ, ସ୍ୱାଧୀନତା, ଏକତା ଏବଂ କ୍ଷେତ୍ରୀୟ ଅଖଣ୍ଡତା ପାଇଁ ସମର୍ଥନର ସ୍ୱର ଉଠାଇଥିଲା । ମହାସଭାରେ ବାଂଲାଦେଶ ପ୍ରତିନିଧି କହିଥିଲେ ଆମେ ସର୍ବଦା ଶାନ୍ତିର ସମର୍ଥନ ପକ୍ଷରେ ରହିଛୁ । ଆମେ ୟୁକ୍ରେନ ସଙ୍କଟକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଅନୁରୋଧ କରୁଛୁ ।