ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଯୁଦ୍ଧ ଜାରି ରହିଛି । ରୁଷର ଘନ ଘନ ମିସାଇଲ ମାଡରେ ଛାରଖାର ହୋଇଗଲାଣି ୟୁକ୍ରେନର ଅନେକ ସହର । ଅନ୍ୟପକ୍ଷରେ ୟୁକ୍ରେନ ଉପରେ ଆକ୍ରମଣ କରିବା ରୁଷ ପାଇଁ ମହଙ୍ଗା ପଡୁଛି । ଏହା ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏକ ସାକ୍ଷାତକାରରେ କହିଛନ୍ତି ଯେ, ରୁଷ ଏ ପର୍ଯ୍ୟନ୍ତ ଯେତିକି ଅସ୍ତ୍ର ଶସ୍ତ୍ର ହରାଇଲାଣି ସେତିକି ଯୁଦ୍ଧାସ୍ତ୍ର ଗତ ୩୦ ବର୍ଷରେ ହରାଇନଥିଲା । ଏହି ଯୁଦ୍ଧରେ ଅଧିକ କ୍ଷତି ରୁଷର ହିଁ ଘଟିଛି । ସେହିପରି ରୁଷର ୧୨ ହଜାର ସୈନିକ ନିହତ ହୋଇଥିବା ମଧ୍ୟ ଜେଲେନସ୍କି ଦାବି କରିଛନ୍ତି ।
ଅନ୍ୟପକ୍ଷରେ ୟୁକ୍ରେନର ଏହି ଦାବିକୁ ଖାରଜ କରି ଆସିଛି ରୁଷ । ସେହିପରି ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି ଯେ ଯୁଦ୍ଧର ଏହି ମୁସ୍କିଲ ସ୍ଥିତିରେ ପାଶ୍ଚାତ୍ୟ ଦେଶଗୁଡିକ ୟୁକ୍ରେନକୁ କୌଣସି ସହାୟତା କଲେ ନାହିଁ । ଖାଳି ବଡ ବଡ ପ୍ରତିଶ୍ରୁତି ଦେଲେ ମାତ୍ର ପୂରଣ କଲେ ନାହିଁ ।