କ୍ଷମତାକୁ ଆସୁ ଆସୁ ଆକ୍ସନ ମୋଡରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ : ୨୫ ହଜାର ସରକାରୀ ଚାକିରୀ

ଚଣ୍ଡିଗଡ: ଆମ୍‌ ଆଦମୀ ପାର୍ଟି ସରକାରର ପ୍ରଥମ କ୍ୟାବିନେଟ୍‌ ବୈଠକରେ ଯୁବକମାନଙ୍କୁ ୨୫୦୦୦ ସରକାରୀ ଚାକିରୀ ଯୋଗାଇବା ପାଇଁ ପଞ୍ଜାବ କ୍ୟାବିନେଟ ମୋହର ଦେଇଛି। କ୍ଷମତାକୁ ଆସୁ ଆସୁ ଆକ୍ସନ ମୋଡରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ । ନିର୍ବାଚନ ଜିତିବା ଦିନ ଠାରୁ ଖୁବ ଚର୍ଚ୍ଚାରେ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ । ଅପ୍ରତ୍ୟାସିତ ଭାବେ କଂଗ୍ରେସକୁ ଧୂଳି ଚଟାଇ ପଞ୍ଜାବର ମଙ୍ଗ ଧରିଛନ୍ତି ଭଗଓ୍ବନ୍ତ ମାନ୍‌ । ଆଉ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କେଇଟା ଦିନ ମଧ୍ୟରେ ଏବେ ଆକ୍ସନ୍‌ ମୋଡରେ ମୁଖ୍ୟମନ୍ତ୍ରୀ ମାନ୍‌ ।

ସାରା ଦେଶରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଆମ୍‌ ଆଦମୀ ପାର୍ଟି ସରକାରର ପ୍ରଥମ କ୍ୟାବିନେଟ୍‌ ବୈଠକରେ ପଞ୍ଜାବବାସୀଙ୍କୁ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ । ସରକାରୀ ବିଭାଗ ଗୁଡିକରେ ଖାଲିଥିବା ପ୍ରାୟ ୨୫ ହଜାର ପଦପଦବୀ ପୂରଣ ପାଇଁ ଖୁବଶୀଘ୍ର ବାହାରିବ ବିଜ୍ଞପ୍ତି । ଏଥିରେ କେବଳ ପୋଲିସ ବିଭାଗ ପାଇଁ ୧୦ ହଜାର ପଦପଦବୀ ବାହାରିବାକୁ ଥିବାବେଳେ ଅନ୍ୟାନ୍ୟ ବିଭାଗଗୁଡିକରେ ୧୫ ହଜାର ପଦପଦବୀ ପୂରଣ ହେବ । ସବୁଠାରୁ ବଡ କଥା ହେଉଛି ମାସେ ମଧ୍ୟରେ ଏହିସବୁ ପଦବୀଗୁଡିକରେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ମାନ୍‌ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ନିଜ ମନ୍ତ୍ରୀମଣ୍ଡଳ ମଧ୍ୟ ଗଠନ କରିସାରିଛନ୍ତି । ମାନ୍‌ଙ୍କ ମନ୍ତ୍ରୀମଣ୍ଡଳ​‌ରେ ସାମିଲ ହୋଇଥିବା ନେତାମାନଙ୍କ ମଧ୍ୟରେ ୨ଜଣ ଚାଷୀ, ୩ ଆଇନଜିବୀ, ୨ଜଣ ଡାକ୍ତର, ଜଣେ ସାମାଜିକ କର୍ମୀ, ଜଣେ ଇଞ୍ଜିନିୟର ରହିଛନ୍ତି । ଟ୍ବିଟ୍‌ କରି ନିଜ ମନ୍ତ୍ରୀମାନଙ୍କ ନାଁ ଘୋଷଣା କରିଛନ୍ତି । ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବା ମାନ୍‌ ନୂଆ ମନ୍ତ୍ରୀମଣ୍ଡଳରେ ସମସ୍ତ ବର୍ଗଙ୍କୁ ପ୍ରଧାନ୍ୟ ଦେଇଛନ୍ତି । ପଞ୍ଜାବରେ ପ୍ରଥମ ଥର ପାଇଁ ସରକାର ଗଠନ କରିଥିବା ଆପ୍‌ ପୁରା ଜୋସ୍‌ରେ କାମ ଆରମ୍ଭ କରିଛି ।