ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଭାରତକୁ ଭୁରିଭୁରି ପ୍ରଶଂସା

ନୂଆଦିଲ୍ଲୀ: ଭାରତକୁ ପ୍ରଶଂସା କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରକୁ ତୀବ୍ର ସମାଲୋଚନା କରୁଥିବା ଖାନ ଭାରତୀୟ ବୈଦେଶିକ ନୀତିକୁ ଖୋଲାଖୋଲି ପ୍ରଶଂସା କରିଛନ୍ତି । ଭାରତର ସ୍ୱତନ୍ତ୍ର ବୈଦେଶୀକ ନୀତିକୁ ପ୍ରଶଂସା କରିବା ସହ ସେ କହିଛନ୍ତି ୟୁକ୍ରେନ୍‌ ଉପରେ ରୁଷର ଆକ୍ରମଣ ହେତୁ ରୁଷ ଉପରେ ଆମେରିକା ପ୍ରତିବନ୍ଧକ ଲାଗୁ କରିଥିଲା । ଏହାରି ଭିତରେ ମସ୍କୋରୁ ଅଶୋଧିତ ତୈଳ ଆମଦାନୀ ହୋଇଛି । ଏକ ଉତ୍ସବରେ ଯୋଗ ଦେଇ ଇମ୍ରାନ ଏପରି କହିଥିବା ବେଳେ ସେ ଆହୁରି ମଧ୍ୟ କହିଛନ୍ତି ଏହି ପ୍ରଶଂସାର ପ୍ରକୃତ ଯୋଗ୍ୟ ଭାରତ । ଭାରତର ସ୍ୱତନ୍ତ୍ର ବୈଦେଶୀକ ନୀତିକୁ ସେ ଭୁରିଭୁରି ପ୍ରଶଂସା କରିଛନ୍ତି ।

ଇମ୍ରାନ କହିଛନ୍ତି ଆମେରିକା, ଭାରତ, ଜାପାନ ଏବଂ ଅଷ୍ଟ୍ରେଲିଆ କ୍ୱାଡ ଗୋଷ୍ଠୀର ସଦସ୍ୟ ଦେଶ । ଭାରତ କ୍ୱାଡ ଗୋଷ୍ଠୀର ଏକ ଅଂଶ ଏବଂ ଆମେରିକାର ପ୍ରତିବନ୍ଧକ ସତ୍ତ୍ବେ ରୁଷରୁ ଅଶୋଧିତ ତୈଳ ଆମଦାନୀ କରୁଛି । ସୂଚନା ମୁତାବକ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିର୍ଦ୍ଦେଶରେ ୨୪ ଫେବ୍ରୁଆରୀରୁ ୟୁକ୍ରେନ ବିରୋଧରେ ରୁଷର କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛି । ରୁଷର ଏହି ଆକ୍ରମଣକୁ ନେଇ ଆମେରିକାର ନେତୃତ୍ୱାଧୀନ ପାଶ୍ଚାତ୍ୟ ଦେଶମାନେ ରୁଷ ଉପରେ କଡା ପ୍ରତିବନ୍ଧକ ଲଗାଇଛନ୍ତି । ତାଙ୍କର ବୈଦେଶିକ ନୀତି ମଧ୍ୟ ପାକିସ୍ତାନୀ ଲୋକଙ୍କ ହିତରେ ରହିବ ବୋଲି ଖାନ କହିଛନ୍ତି ।