ସାମଗ୍ରିକ ବିକାଶ ଆମ ଲକ୍ଷ୍ୟ : ସମୀର ମହାନ୍ତି
* ନବରଙ୍ଗପୁର ଜିଲ୍ଲାରେ ରାଜ୍ୟ ସଭାପତିଙ୍କ ନିର୍ବାଚନୀ ପ୍ରଚାର * ପକ୍କାଘର, ପାନୀୟ ଜଳ, ରୋଷେଇ ଗ୍ୟାସ, ସୁବ୍ୟବସ୍ଥିତ ସ୍ୱେରେଜ ଓ ଡ୍ରେନେଜ ହେଉଛି ପ୍ରାଥମିକତା
ଭୁବନେଶ୍ୱର,(ସାକ୍ସୀ ନ୍ୟୁଜ୍): ରାଜ୍ୟର ସହରାଚଂଳର ସାମଗ୍ରିକ ବିକାଶ ନିମନ୍ତେ ମୋଦୀ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ କ୍ଷେତ୍ରକୁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିଲେ ମଧ୍ୟ ରାଜ୍ୟରେ ଶାସକ ବିଜେଡି ତାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରୁନଥିବାରୁ ରାଜ୍ୟର ସର୍ବାଙ୍ଗୀନ ବିକାଶରେ ବାଧା ସୃଷ୍ଟି ହେଉଛି । ସେହିପରି ସହରାଂଚଳର ବିକାଶ ପାଇଁ ମୋଦି ସରକାର ପ୍ରତ୍ୟେକ ସହରକୁ ସିଧାସଳଖ ଟଙ୍କା ପଠାଇଲେ, କିନ୍ତୁ ବିଜେଡିର ସ୍ଥାନୀୟ ନେତାମାନେ ହରିଲୁଟ୍ କରିଦେଲେ ।
କେନ୍ଦ୍ର ସରକାରଙ୍କ ଅନୁମୋଦନ ସତ୍ୱେ ଲକ୍ଷ ଲକ୍ଷ ଘର ଆବଂଟନ ହୋଇନପାରି ରାଜ୍ୟ ସରକାରଙ୍କ ପାଖରେ ପଡିରହିଛି । ନିର୍ବାଚନକୁ ବିରୋଧୀ ଶୂନ୍ୟ କରି ଯେଣତେଣ ହିସାବରେ ଶାସନ କ୍ଷମତାକୁ ଜାବୁଡି ଧରିବାର ନିଶା ଶାସକ ବିଜେଡିକୁ ଘାରିଛି । କ୍ଷମତା ପାଇଁ ଯେକୈାଣସି ସ୍ତରକୁ ଓହ୍ଲାଇବା ପାଇଁ ନିଜକୁ ପ୍ରସ୍ତୁତ କରିଛି ବିଜୁ ଜନତା ଦଳ । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ବୋଲି ଡିଣ୍ଡିମ ପିଟୁଥିବା ଶାସକ ବିଜେଡିର ବାସ୍ତବ ଚିତ୍ର ସଂପୂର୍ଣ୍ଣ ଭିନ୍ନ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଆଜି ରାଜ୍ୟ ସଭାପତି ଶ୍ରୀଯୁକ୍ତ ସମୀର ମହାନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଥିଲେ ।
ନବରଙ୍ଗପୁର ପୌର ପରିଷଦ ପ୍ରାର୍ଥୀ କୁନୁ ନାୟକ ଏବଂ ଉମରକୋଟ ପୌର ପରିଷଦ ଅଧ୍ୟକ୍ଷା ରିଙ୍କି ଗଣ୍ଡ କାଉନସିଲର ପ୍ରାର୍ଥୀନିଙ୍କ ପାଇଁ ଶ୍ରୀଯୁକ୍ତ ମହାନ୍ତି ପ୍ରଚାର କରୁଥିଲେ । ଶ୍ରୀ ମହାନ୍ତି ପ୍ରଚାରବେଳେ କହିଛନ୍ତି ଯେ, ଗଣତନ୍ତ୍ରରେ ସମସ୍ତଙ୍କ ନିର୍ବାଚନ ଲଢ଼ିବାର ଅଧିକାର ଅଛି । ନିର୍ବାଚନ ଜନପ୍ରତିନିଧିମାନେ ଠିକ୍ ସମୟରେ ନିର୍ବାଚନ କରିବା କଥା । କିନ୍ତୁ ଏହି ନିର୍ବାଚନ ସାଢେ଼ ୩ବର୍ଷ ବିଳମ୍ବରେ ହେଇଛି । ଠିକ୍ ସମୟରେ ନିର୍ବାଚନ କାହିଁକି କରାଗଲା ନାହିଁଶ୍ରୀଯୁକ୍ତ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି । ପଂଚାୟତ ନିର୍ବାଚନ ସରିଲାକି ନାହିଁ ପୌର ନିର୍ବାଚନ ତାରିଖ ଘୋଷଣା କଲେ ରାଜ୍ୟ ସରକାର । ଏହି ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ସଦାସର୍ବଦା ପ୍ରସ୍ତୁତ ଓ ଦୁର୍ନୀତିମୁକ୍ତି ବକାଶଯୁକ୍ତ ସରକାର ଗଠନ ପାଇଁ ଜନତା ଭୋଟ ଦେବାକୁ ଶ୍ରୀଯୁକ୍ତ ସମୀର ମହାନ୍ତି କହିଛନ୍ତି ।
ମୋଦୀ ସରକାର ସର୍ବଦା ସାମଗ୍ରିକ ବିକାଶର ନୀତିରେ ବିଶ୍ୱାସ କରନ୍ତି । ମୋଦିଜୀଙ୍କ ମୂଳମନ୍ତ୍ର “ସବ୍କା ସାଥ୍, ସବ୍କା ବିକାଶ୍, ସବ୍କା ବିଶ୍ୱାସ, ସବ୍କା ପ୍ରୟାସ” । ମୋଦି ସରକାର ଅମଳରେ ଓଡିଶାର ବିକାଶ ପାଇଁ ପର୍ଯ୍ୟାପ୍ତ ପରିମାଣର କେନ୍ଦ୍ରୀୟ ଆର୍ଥିକ ଅନୁଦାନ ମିଳିଥିବା ସତ୍ୱେ ରାଜ୍ୟରେ ବିକାଶ ଠପ୍ ରହିଛି । ପ୍ରତ୍ୟେକ ଲୋକଙ୍କ ପାଖରେ ପକ୍କାଘର, ପାନୀୟ ଜଳ, ରୋଷେଇ ଗ୍ୟାସ, ବ୍ୟାଙ୍କ ବ୍ୟବସ୍ଥାର ସୁବିଧା ପହଁଚାଂଇ ସେମାନଙ୍କୁ ମୁଖ୍ୟ ସ୍ରୋତରେ ଆଣିବା ଭାରତୀୟ ଜନତା ପାର୍ଟିର ମୂଳ ଲକ୍ଷ୍ୟ । ଡିଜିଟାଲ ଭାରତ ଗଠନ ନିମନ୍ତେ ଡିଜିଟାଲ ମୁଦ୍ରା ପ୍ରଚଳନ, ୫-ଜି ଟେଲିକମ ସେବା, ବନ୍ଦେ ଭାରତ ଏକ୍ସପ୍ରେସ ରେଳର ପ୍ରଚଳନ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ଅବସରରେ ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ, ଜିଲ୍ଲା ସଭାପତି ଜଗଦୀଶ ବିଶୋଇ, ଜିଲ୍ଲା ପ୍ରଭାରୀ ବିଧାୟକ ଡ. ମୁକେଶ ମହାଲିଙ୍ଗ, ଉମରକୋଟ ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ରାଜ୍ୟ କୃଷକ ଉପସଭାପତି ଶ୍ରୀରଞ୍ଜନ ମଙ୍ଗରାଜ, ରମେଶ ସାହୁ କାର୍ଯ୍ୟକ୍ରମ ପ୍ରଚାରରେ ଉପସ୍ଥିତ ଥିଲେ ।