ନିଜର ଆସନ ଟଳମଳ ମଧ୍ୟରେ ଭାରତକୁ ସଲାମ୍‌ କଲେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାମ ଖାନ

ନୂଆଦିଲ୍ଲୀ : ନିଜର ଆସନ ଟଳମଳ ମଧ୍ୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାରତ ପିରତି ଦେଖିବାକୁ ମିଳିଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତ ସରକାରଙ୍କ ବିଦେଶ ନୀତିର ପ୍ରଶଂସା କରିଛନ୍ତି । ଭାରତର ଏପରି ନୀତି ସ୍ୱାଧୀନ ଏବଂ ଲୋକଙ୍କ ଉନ୍ନତି ପାଇଁ ସହାୟକ ହେବ ବୋଲି ଉଲ୍ଲେଖ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ନିଜ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ସାମ୍ନା କରିବାକୁ ଯାଉଥିବା ଇମ୍ରାନଙ୍କ ସତ୍ତା ବଜାୟ ରଖିବା ନେଇ ସନ୍ଦେହ ଲାଗି ରହିଥିବାବେଳେ ଏକ ଜନସଭାରେ ଭାରତ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଇମ୍ରାନ ।

ଖାଇବର ପାଖ୍‌ତୁନାଖୱାର ମାଲାକାଣ୍ଡ ଅଞ୍ଚଳରେ ଆୟୋଜିତ ଏକ ଜନ ସମାବେଶରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାରତକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଆମେରିକାର ପ୍ରତିବନ୍ଧକ ସତ୍ତେ୍ୱ ମଧ୍ୟ ରୁଷରୁ ତୈଳ ଆମଦାନୀ କରିବ ଭାରତ । ଭାରତ ଆମେରିକାର ସହଯୋଗୀ ଭାବେ ମଧ୍ୟ ରହିଛି, ଅନ୍ୟପଟେ ଋଷ ସହ ମଧ୍ୟ ପୂର୍ବ ସମ୍ପର୍କ ମଧ୍ୟ ବଜାୟ ରଖିଛି । ଏହା ଭାରତର ନିଜସ୍ୱ ତଥା ସ୍ୱାଧୀନ ବୈଦେଶିକ ନୀତି, ଯାହାକୁ ସେ ସମର୍ଥନ କରୁଛନ୍ତି ବୋଲି କହିଥିଲେ ।

ସୂଚନାଯୋଗ୍ୟ ଯେ, ପାକିସ୍ତାନରେ ଜାରି ରହିଥିବା ଅର୍ଥନୈତିକ ସଙ୍କଟ ଓ ଅନ୍ୟ ସମସ୍ୟା ମଧ୍ୟରେ ଇମ୍ରାନ ଖାନଙ୍କ ସରକାରଙ୍କ ଅସ୍ଥିତ୍ୱ ଉପରେ ଖଣ୍ଡା ଝୁଲୁଥିବା ପରିସ୍ଥିତି ସୃଷ୍ଟି ହୋଇଛି । ପରୋକ୍ଷରେ ଶାସନ ଚଳାଉଥିବା ପାକିସ୍ତାନ ସେନା ମଧ୍ୟ ଇମ୍ରାନଙ୍କୁ ପଦଚ୍ୟୁତ କରିବା ଲକ୍ଷ୍ୟରେ ଥିବା ନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ପାକ ସେନାମୁଖ୍ୟ ଜେନେରାଲ ବାଜୱା ପାକିସ୍ତାନର ଶାସନ ଇମ୍ରାନଙ୍କ ହାତରେ ରହିବା ଚାହୁଁ ନଥିବା କଥା ମଧ୍ୟ ସାମ୍ନାକୁ ଆସିଛି । ଏହାରି ମଧ୍ୟରେ ମାର୍ଚ୍ଚ ୨୫ ତାରିଖରେ ସଂସଦ ଅଧିବେଶନ ଆହୁତ ହୋଇଛି । ଏହି ଅଧିବେଶନରେ ଅନାସ୍ଥା ପ୍ରସ୍ତାବର ସାମ୍ନା କରିବେ ଇମ୍ରାନ ।