ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିôବା ଘୋମାଘୋଟ ଲଢେଇ ଥମିବାର ନା ଧରୁନାହିଁ । ରୁଷ ସୈନିକଙ୍କ ମିସାଇଲ ମାଡରେ ୟୁକ୍ରେନର ଅନେକ ବଡ ବଡ ସହର ଛାରଖାର ହେବା ସହ ବହୁ ଜନସାଧାରଣ ଜୀବନ ଗଲାଣି । ଅନ୍ୟପକ୍ଷରେ ଏହି ଆକ୍ରମଣ ଫଳରେ ରୁଷକୁ ଅନେକ ଦେଶ ପ୍ରତିବନ୍ଧକ ଲଗାଇବା ସହ ଅନ୍ୟ କିଛି ରାଷ୍ଟ୍ର ମଧ୍ୟ କଟକଣା ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି । କିନ୍ତୁ ରୁଷ ଉପରେ କୌଣସି ଫରକ ପଡୁନାହିଁ । ଏହା ମଧ୍ୟରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଭାରତ ୟୁକ୍ରେନରେ ମାନବୀୟ ସଂକଟ ଉପରେ ରୁଷିଆର ପ୍ରସ୍ତାବ ଉପରେ ହୋଇଥିବା ଭୋଟିଂରୁ ଦୂରରେ ରହିଛି । ଭାରତ ଏହି ଯୁଦ୍ଧ ଠାରୁ ନିବୃତ୍ତ ରହିଛି । ଅର୍ଥାତ ଯୁଦ୍ଧକୁ ଭାରତ ସମର୍ଥନ କରିନାହିଁ ।
ଏହା ପୂର୍ବରୁ ମଧ୍ୟ ଭାରତ ୟୁଏନରେ ୟୁକ୍ରେନ ପ୍ରସଙ୍ଗରେ ରୁଷିଆ ବିରୋଧରେ ପଶ୍ଚାତ୍ୟ ଦେଶଗୁଡିକର ପ୍ରସ୍ତାବ ଠାରୁ ଦୂରରେ ରହିଥିଲା । ସେହିପରି ଭାରତ ସମେତ ମୋଟ ୧୩ଟି ଦେଶ ରୁଷିଆର ପ୍ରସ୍ତାବ ଉପରେ ଭୋଟିଂରେ ଅଂଶଗ୍ରହଣ କରିନାହାନ୍ତି । ରୁଷିଆ ଏହି ପ୍ରସ୍ତାବକୁ ସିରିଆ, ଉତ୍ତର କୋରିଆ ଓ ବେଲାରୁଷର ସମର୍ଥନ ଉପସ୍ଥାପନ କରିଛି । କିନ୍ତୁ ଏହା ପାସ ହୋଇପାରି ନାହିଁ । କାରଣ ଏହାକୁ ପାସ କରିବା ପାଇଁ ୯ଟି ଦେଶର ସମର୍ଥନ ଆବଶ୍ୟକତା ଥିଲା । ରୁଷିଆ ଓ ଚୀନ ଏହି ପ୍ରସ୍ତାବର ସମର୍ଥନରେ ଭୋଟ ଦେଇଥିଲା । ଭାରତ ଓ ସୁରକ୍ଷା ପରିଷଦର ବାକି ସଦସ୍ୟ ଭୋଟିଂରେ ଅଂଶଗ୍ରହଣ କରିନଥିଲେ । ୟୁଏନର ସ୍ଥାୟୀ ସଦସ୍ୟ ୧୫ ସଦସ୍ୟଙ୍କ ପରିଷଦରେ ପ୍ରସ୍ତାବ ଉପସ୍ଥାପନ କରିଥିଲା । ଅନ୍ୟପକ୍ଷରେ ଏହି ପ୍ରସ୍ତାବରେ ରୁଷିଆ ମହିଳା, ଶିଶୁ ଓ ମାନବୀୟ କର୍ମୀ ସମେତ ସମସ୍ତ ନାଗରିକଙ୍କୁ ସୁରକ୍ଷିତ କରିବା, ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ରାଜନୀତିକ ଆଲୋଚନା, ମଧ୍ୟସ୍ଥତା ଓ ଅନ୍ୟ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ ପାଇଁ ଅପିଲ କରିଥିଲା ।