ଅଗଷ୍ଟ ମାସ ଭାଙ୍ଗିଲା ୩ ମାସର ରେକର୍ଡ

ଭୁବନେଶ୍ୱର(ଏସ୍ ନ୍ୟୁଜ):ରାଜ୍ୟରେ ମହାମାରୀ କରୋନା ଦିନକୁ ଦିତ ତାର ଉଗ୍ରରୂପ ଧାରଣ କରିବାରେ ଲାଗିଛି । ଅଗଷ୍ଟ ମାସରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ଅନୁମାନ କରାଯାଉଥିଲା । ହେଲେ ଏହା ଓଲଟା ହୋଇଛି । ୩ ମାସର ରେକର୍ଡ ଭାଙ୍ଗି ଦେଇଛି ଅଗଷ୍ଟ ମାସ । ଓଡିଶାରେ ମୃତ୍ୟୁହାର ଦେଶର ସର୍ବନିମ୍ନ ୦.୫୮ ପ୍ରତିଶତ ରହିଛି । ପୂର୍ବରୁ ଚିନ୍ତାର କାରଣ ପାଲଟିଥିବା ଗଞ୍ଜାମର ସ୍ଥିତିରେ ସୁଧାର ଆସିଛି । ଏବେ ଚିନ୍ତା ବଢ଼ାଇ ଦେଇଛି ଭୁବନେଶ୍ୱର ଓ ଖୋର୍ଦ୍ଧା । ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ବେଗରେ ବଢ଼ି ଚାଲିଥିବାରୁ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତା ବଢ଼ିଯାଇଛି । କରୋନା ଭାଇରସ୍‌ ବିରୋଧରେ ରାଜ୍ୟର ସଂଗ୍ରାମରେ ଅଗଷ୍ଟ ମାସ ଚକିତ କରିଚାଲିଛି । ଏହି ମାସର ପ୍ରଥମ ୧୮ ଦିନ ଭିତରେ ସବୁ ରେକର୍ଡ ବ୍ରେକ ହୋଇଛି । ଟେଷ୍ଟିଂ ଠାରୁ ଆରମ୍ଭ କରି ଆକ୍ରାନ୍ତ ଓ ମୃତ୍ୟୁ ତାଲିକାରେ ପୂର୍ବ ମାସର ସବୁ ରେକର୍ଡ ଭାଙ୍ଗିଯାଇଛି ଅଗଷ୍ଟ ମାସର ଏହି ୧୮ ଦିନରେ । ଓଡିଶା ଦୁଇ ଦିନରେ ଏକ ଲକ୍ଷରୁ ଅଧିକ ପରୀକ୍ଷା କରି ନୂଆ ରେକର୍ଡ କରିବା ସହିତ ଦେଶର ପାଞ୍ଚଟି ରାଜ୍ୟ ମଧ୍ୟରେ ସାମିଲ ହୋଇପାରିଛି । ୧୦ ତାରିଖରୁ କ୍ରମାଗତ ଭାବେ ଟେଷ୍ଟିଂ ବଢ଼ିବାରେ ଲାଗିଛି । ୧୦ ତାରିଖରେ ୧୯,୦୮୩ଟି ନମୁନା ପରୀକ୍ଷା ହୋଇଥିବା ବେଳେ ୧୧ ତାରିଖରେ ୨୩,୦୩୫; ୧୨ ତାରିଖରେ ୩୨,୦୫୩; ୧୩ ତାରିଖରେ ୪୦,୭୧୧; ୧୪ ତାରିଖରେ ସର୍ବାଧକ ୪୨,୭୬୧; ୧୫ ତାରିଖରେ ୪୭,୮୮୭ ଟେଷ୍ଟ ଓ ୧୬ ତାରିଖରେ ୫୨,୭୯୫ ଟେଷ୍ଟ ହୋଇଛି । ଅଗଷ୍ଟ ୧୬ ତାରିଖ ଯାଏଁ ମୋଟ ୯,୦୮,୫୦୮ଟି ନମୁନା ଟେଷ୍ଟ ହୋଇଥିବା ବେଳେ କେବଳ ଏହି ଅଗଷ୍ଟ ମାସ ୧୬ ଦିନରେ ୩,୭୯,୮୦୦ ଟେଷ୍ଟ ହୋଇଛି । ୧୦ ତାରିଖରୁ କ୍ରମାଗତ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବି ବଢିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ପାର କରିଥିବା ବେଳେ କେବଳ ଜୁଲାଇ ମାସରେ ୨୮,୧୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।