ହାଥରସ୍ ଗଣଦୁଷ୍କର୍ମ: ହିଂସା ରୋକିବାକୁ ରାତିରେ କରାଯାଇଥିଲା ପୀଡିତାଙ୍କ ଶବ ସତ୍କାର

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ହାଥରସ୍ ଗଣଦୁଷ୍କର୍ମ ମାମଲାରେ ଉତ୍ତରପ୍ରଦେଶ ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ହିଂସା ରୋକିବାକୁ ରାତିରେ ପୀଡ଼ିତାଙ୍କ ଶବର ସତ୍କାର କରାଯାଇଥିଲା ବୋଲି ଏଥିରେ ଦର୍ଶାଯାଇଛି ।

ସତ୍ୟପାଠରେ ଦର୍ଶାଯାଇଛି ଯେ ଏହି ମାମଲାକୁ ନେଇ ସକାଳେ ବଡ଼ ଧରଣର ହିଂସା ହେବାର ଆଶଙ୍କା ଥିଲା । ସକାଳେ ଲକ୍ଷାଧିକ ଲୋକ ଏକାଠି ହୋଇ ହିଂସା କରିବାର ଆଶଙ୍କା ଥିବା ଗୁଇନ୍ଦା ବିଭାଗ ରିପୋର୍ଟ ଦେଇଥିଲା । ଏହାକୁ ଦୃଷ୍ଟିରେ ରଖି ରାତିରେ ଶବ ସତ୍କାର ପାଇଁ ଜିଲ୍ଲା ପ୍ରଶାସନ ପୀଡ଼ିତାର ପରିବାରକୁ ବୁଝାଇ ଏହି ସତ୍କାର କରାଯାଇଥିଲା । ନିଜ ସତ୍ୟପାଠରେ ୟୁପି ସରକାର ଆହୁରି ମଧ୍ୟ କହିଛନ୍ତି ଯେ ଏହି ମାମଲାକୁ ଜାତିଆଣ ଓ ସାଂପ୍ରଦାୟିକ ରଙ୍ଗ ଦିଆଯାଉଛି । କେତେକ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ମଧ୍ୟ ଏହି ମାମଲାର ଫାଇଦା ନେବାକୁ ଉଦ୍ୟମ କରୁଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବଦନାମ କରିବାକୁ ଏକ ପ୍ରଚାର ଅଭିଯାନ ଚାଲିଛି । ଏଣୁ ମାମଲାର ନିରପେକ୍ଷ ଓ ସ୍ବଚ୍ଛ ତଦନ୍ତ ପାଇଁ କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦିଅନ୍ତୁ । ଏହା ସହିତ କୋର୍ଟ ଏହି ମାମଲାର ତଦାରଖ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ଯ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୧୪ ତାରିଖରେ ହାଥରସର ୧୯ ବର୍ଷୀୟା ଯୁବତୀକ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ପ୍ରାୟ ୪ ଦିନ ଧରି ଜୀବନ ସହ ସଂଗ୍ରାମ କରିବା ପରେ ଯୁବତୀ ଦିଲ୍ଲୀର ଏକ ହସ୍ପିଟାଲରେ ମୃତ୍ୟୁବରଣ କରିଥିଲେ ।