ଭୁବନେଶ୍ବର( ଏସ୍ ନ୍ୟୁଜ ) ସବୁ ପଞ୍ଚାୟତରେ ଏଣିକି ମିଳିବ ହାଇସ୍ପିଡ୍ ଇଣ୍ଟରନେଟ୍ ସୁବିଧା । ସମସ୍ତ ଗ୍ରାମ ପଞ୍ଚାୟତକୁ ଉଚ୍ଚ କ୍ଷମତା ସଂପନ୍ନ ଇଣ୍ଟରନେଟ୍ ସଂଯୋଗ କରିବା ପାଇଁ ରାଜ୍ୟ ସରକାର ଯୋଜନା ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୪ ହଜାର ୬୫୧ ପଞ୍ଚାୟତ ଏବଂ ୨୩୦ ବ୍ଲକ୍କୁ ଇଣ୍ଟରନେଟ୍ ସଂଯୋଗ କରାଯାଇଥିବା ବେଳେ ଅବଶିଷ୍ଟ ପଞ୍ଚାୟତ ଓ ବ୍ଲକ୍କୁ ପର୍ଯ୍ୟାୟକ୍ରମେ ସଂଯୋଜିତ କରାଯିବ ବୋଲି ପ୍ରଯୁକ୍ତି ବିଦ୍ୟା ଶାସନ ସଚିବ କହିଛନ୍ତି ।
ଆସନ୍ତା ଏପ୍ରିଲ ମାସ ସୁଦ୍ଧା ରାଜ୍ୟର ସମସ୍ତ ପଞ୍ଚାୟତକୁ ଇଣ୍ଟରନେଟ୍ ସଂଯୋଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟାନ୍ୱୟନ କମିଟି ବୈଠକରେ ଏହା ସ୍ଥିର ହୋଇଛି । ଏଥିସହ ପ୍ରତି ପଞ୍ଚାୟତର ମୁଖ୍ୟ କାରବାର କେନ୍ଦ୍ରରେ ଓ୍ୱାଇଫାଇ ସଂଯୋଗ ଦେବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ପଞ୍ଚାୟତ ସ୍ତରରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ମେଡିକାଲ ଆଦି ଏହି ଇଣ୍ଟରନେଟ୍ ସୁବିଧା ପାଇପାରିବେ । ଫଳରେ ଡିଜିଟାଲ ଭିତ୍ତିଭୂମି ରାଜ୍ୟର ବିକାଶର ଏକ ପ୍ରମୁଖ ଚାଳକ ହେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠୀ ।