ଭୁବନେଶ୍ୱର (ଏସ୍ ନ୍ୟୁଜ ): ରାଜ୍ୟରେ ମନ୍ଦିର ଖୋଲିବା ପାଇଁ ଦିନକୁ ଦିନ ସେବାୟତଙ୍କ ଦାବି ତେଜିବାରେ ଲାଗିଛି । ଏନେଇ ସକାଳ ୯ଟା ସମୟରେ ରାଜ୍ୟର ସମସ୍ତ ମଠ ମନ୍ଦିର ଗୁଡିକରେ କାର୍ଯ୍ୟରତ ସେବାୟତ ମାନେ ଘଣ୍ଟଘଣ୍ଟା ବଜାଇ ପ୍ରତିବାଦ ଜଣାଇଛନ୍ତି ।
ପ୍ରତିବାଦକୁ ନେଇ ରାଜ୍ୟ ସଂଘ ପରାମର୍ଶ କ୍ରମେ ଆଜି ରାଜ୍ୟର ବିଭିନ୍ନ ମନ୍ଦିର ସମ୍ମୁଖରେ ସକାଳ ୯ ଘଟିକା ସମୟରେ ୯ମିନିଟ ପର୍ଯ୍ୟନ୍ତ ଘଣ୍ଟା ବଜାଇ ନିଜର ପ୍ରତିବାଦ ଜଣାଇଛନ୍ତି । ଏନେଇ ୨ୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ଶ୍ରୀହରିବଳଦେବଜୀଉ ପୀଠ ବାରିପଦାରେ ମଧ୍ୟ ସେବାୟତମାନେ ଘଣ୍ଟ ବଜାଇ ପ୍ରତିବାଦରେ ସାମିଲ ହୋଇଥିଲେ। ଓଡିଶା ମନ୍ଦିର ସେବାୟତ ସଂଘ ସଭାପତି କାମେଶ୍ୱର ତ୍ରିପାଠୀଙ୍କ ନେତୃତ୍ୱରେ ଜଗନ୍ନାଥ ମନ୍ଦିର ମୂଖ୍ୟ ପୁଜାପଣ୍ଡା ଅରୁଣ କୁମାର ମିଶ୍ର ପ୍ରମୁଖଙ୍କ ସମେତ ବହୁ ସେବାୟତ ଏହି ପ୍ରତିବାଦରେ ସାମିଲ ହୋଇଥିଲେ।
ତେବେ ଅନ୍ୟ ରାଜ୍ୟ ଗୁଡିକରେ ସରକାର ମନ୍ଦିର ସବୁ ଖୋଲି ସାରିଥିବା ବେଳେ ଆମ ସରକାର ମଠ ମନ୍ଦିରସବୁ ବନ୍ଦ ରଖିଛନ୍ତି କାହିଁକି ବୋଲି ସେବାୟତ ପ୍ରଶ୍ନ କରିଛନ୍ତି । ସେହିପରି ଗାଡି ମଟର ଚଳାଚଳ ଠାରୁ ଆରମ୍ଭ କରି ମଦ ଦୋକାନ ପର୍ଯ୍ୟନ୍ତ ଖୋଲାଯାଇଥିଲେ ମଧ୍ୟ ମନ୍ଦିର ଖୋଲିବା ଉପରେ ଏଯାବତ ରୋକ ଲଗାଇଛନ୍ତି । ଏହାକୁ ନେଇ ମନ୍ଦିରରେ କାର୍ଯ୍ୟରତ ସେବାୟତ ମନ୍ଦିରରୁ ପାଉଥିବା ପ୍ରାପ୍ୟରୁ ବଂଚିତ ହେଉଛନ୍ତି ଆଉ ତାଙ୍କ ପରିବାର ପ୍ରତିପୋଷଣ କରିବା କଷ୍ଟସାଧ୍ୟ ହେଇପଡୁଛି । କିନ୍ତୁ ବର୍ତ୍ତମାନ ସମୟରେ କରୋନା କଟକଣା କୋହାଳ କରାଯାଇ ବିଭିନ୍ନ କାର୍ଯ୍ୟ କରାଯାଉଥିବା ବେଳେ ସରକାରଙ୍କୁ ବାରମ୍ବାର ଅନୁରୋଧ କରିବା ସତ୍ୱେ ମନ୍ଦିର ନଖୋଲିବା ନେଇ ସେବାୟତ ଉଦବେଗ ପ୍ରକାଶ କରିଛନ୍ତି।

ଗତକାଲି ଶ୍ରୀମନ୍ଦିର ଖୋଲିବା ଦାବିରେ ସିଂହଦ୍ୱାର ସମ୍ମୁଖରେ ମହାସୁଆର ନିଯୋଗର ଧାରଣା ଦେଇଥିଲା। ଏନେଇ ପୂର୍ବତନ ସଭାପତି ତଥା ବରିଷ୍ଠ ସେବାୟତ ଦାମୋଦର ମହାସୁଆର ଧାରଣାରେ ବସିଥିଲେ। ସହଯୋଗୀମାନଙ୍କ ସହ ଧାରଣାରେ ବସିଥିଲେ ଦାମୋଦର।