ମହାନ୍ ଜନନାୟକ, ପ୍ରବାଦ ପୁରୁଷ, ସ୍ବାଧୀନତା ସଂଗ୍ରାମୀ ତଥା ଓଡିଶାର ପୂର୍ବତନ ମୁଖ୍ଯମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ
ଭୁବନେଶ୍ୱର,(ସାକ୍ସୀ ନ୍ୟୁଜ୍): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ଏହି ଅବସରରେ ବିଧାନସଭା ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ବିଧାୟକ ଦେବୀ ମିଶ୍ରଙ୍କ ସମେତ ବିଜେଡିର କିଛି ବରିଷ୍ଠ ନେତା ମଧ୍ୟ ସାମିଲ ହୋଇଥିଲେ ।
୧୯୯୭ ମସିହା ଅପ୍ରେଲ ୧୭ ତାରିଖରେ ଓଡ଼ିଶା ଆକାଶରେ କଳାବାଦଲ ଖେଳିଗଲା । ସ୍ତବ୍ଦ ହୋଇଥିଲା ସାରାଦେଶ । କାହାରି ମୁହଁରେ କଥା ନଥିଲା, ଥିଲା କେବଳ ଲୁହ । କାରଣ ସେଦିନ ଓଡ଼ିଶାର ମହାଜନନାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପରଲୋକ ଘଟିଥିଲା । ଆଜି ସେହି ମହାନ ବ୍ୟକ୍ତିଙ୍କର ତିରୋଧାନ ଦିବସ । ଏହି ଦିବସକୁ ସାରା ଦେଶ ମନେପକାଉଛି ।
ବିଜୟାନନ୍ଦ ପଟ୍ଟନାୟକ ସାରା ଦେଶରେ ବିଜୁ ପଟ୍ଟନାୟକ ତଥା ବିଜୁ ବାବୁ ନାମରେ ପରିଚିତ । ସେ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖ ଦିନ କଟକର ତୁଳସୀପୁରଠାରେ ଜନ୍ମ ଗ୍ରହଣ କରିଥିଲେ । ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ମାତା ଆଶାଲତା ପଟ୍ଟନାୟକଙ୍କର ସେ ତୃତୀୟ ସନ୍ତାନ ଥିଲେ ।
୧୯୪୬ରେ ବିଜୁ ପଟ୍ଟନାୟକ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରି ନିର୍ବିରୋଧ ଭାବେ ଓଡ଼ିଶା ବିଧାନସଭାକୁ ଉତ୍ତର କଟକ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ୧୯୫୨ ଏବଂ ୧୯୫୭ରେ ସେ ଯଥାକ୍ରମେ ଜଗନ୍ନାଥ ପ୍ରସାଦ ଏବଂ ସୋରଡ଼ାରୁ ଜିତିଥିଲେ । ୧୯୬୧ରେ ସେ ରାଜ୍ୟ କଂଗ୍ରେସର ସଭାପତିତ୍ୱ ଗ୍ରହଣ କରିଥିଲେ । ତାଙ୍କ ନେତୃତ୍ୱରେ କଂଗ୍ରେସ ଦଳ ୧୪୦ରୁ ୮୨ଟି ଆସନରେ ବିଜୟ ଲାଭକରିଥିଲା । ଚୌଦ୍ୱାରରୁ ନିର୍ବାଚିତ ବିଜୁ ପଟ୍ଟନାୟକ ପ୍ରଥମଥର ନିମନ୍ତେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରି ୨ ଅକ୍ଟୋବର ୧୯୬୩ ଯାଏଁ ପଦବୀରେ ରହିଥିଲେ ।
କଂଗ୍ରେସ ପାର୍ଟିକୁ ପୁଣି ସତେଜ କରିବା ପାଇଁ ସେ କାମରାଜ ଯୋଜନାରେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ । ବିଜୁ ବାବୁ ଓ ଇନ୍ଦିରା ଗାନ୍ଧୀଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା, ହେଲେ ୧୯୬୯ ରାଷ୍ଟ୍ରପତି ନିର୍ବାଚନ ବେଳେ ତାଙ୍କ ଭିତରେ ମନୋମାଳିନ୍ୟ ହୋଇଯିବାରୁ ଓ ୧୯୭୧ରେ ହୋଇଥିବା ରାଜ୍ୟସଭା ନିର୍ବାଚନ ନିମନ୍ତେ କଂଗ୍ରେସ ଟିକଟ ନପାଇବାରୁ ସେ କଂଗ୍ରେସ ପାର୍ଟି ଛାଡ଼ି ଉତ୍କଳ କଂଗ୍ରେସ ନାମରେ ଏକ ନୂତନ ଦଳ କରିଥିଲେ ।
୧୯୭୧ ବିଧାନ ସଭା ମତଦାନରେ ତାଙ୍କ ପାର୍ଟି ଯୁକ୍ତିଯୁକ୍ତ ଭାବେ ଭଲ କରିଥିଲା । ବିଜୁ ବାବୁ ତା’ପରେ ତାଙ୍କ ପୁରୁଣା ସାଙ୍ଗ ଜୟପ୍ରକାଶ ନାରାୟଣଙ୍କ ସହିତ ସମ୍ପର୍କ ପୁନଃସ୍ଥାପନ କରିଥିଲେ ଓ ୧୯୭୪ରେ ଜେ.ପି ମୁଭମେଣ୍ଟରେ ଯୋଗ ଦେଇଥିଲେ । ୧୯୭୫ରେ ଯେତେବେଳେ ଜରୁରିକାଳୀନ ସ୍ଥିତି ଘୋଷଣା ହେଲା, ବିଜୁ ପଟ୍ଟନାୟକ ପ୍ରଥମ ବ୍ୟକ୍ତି ଥିଲେ ଯିଏ ଅନ୍ୟ ବିରୋଧୀ ନେତାମାନଙ୍କ ସହ ଗିରଫ ହୋଇଥିଲେ । ୧୯୭୭ରେ ସେ ମୁକୁଳିଳେ ଓ ଲୋକସଭା ପ୍ରାର୍ଥୀ ହିସାବରେ କେନ୍ଦ୍ରପଡ଼ାରୁ ନିର୍ବାଚିତ ହେଲେ । ୧୯୭୯ ବେଳେ ସେ ମୋରାରଜୀ ଦେଶାଇ ଓ ଚୌଧୁରୀ ଚରଣ ସିଂହଙ୍କ ସରକାର ଅଧିନରେ ଇସ୍ପାତ ଓ ଖଣି ମନ୍ତ୍ରୀ ରହିଥିଲେ । ୧୯୮୦ରେ ବିଜୁ ବାବୁ ଲୋକ ସଭାକୁ ନିର୍ବାଚିତ ହେଲେ ଏବଂ ପୁଣିଥରେ ୧୯୯୬ରେ ଲୋକ ସଭାକୁ ନିର୍ବାଚିତ ହେଇଥିଲେ । ୧୯୯୦ ରାଜ୍ୟ ବିଧାନ ସଭା ନିର୍ବାଚନରେ ଜନତା ଦଳ ଜିତିଲା ଏବଂ ଆଉଥରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୧୯୯୫ ପର୍ଯ୍ୟନ୍ତ କାର୍ଯ୍ୟନିର୍ବାହ କରିଥିଲେ ।