ନୂଆଦିଲ୍ଲୀ : ଅମରନାଥ ଯିବାକୁ ଚାହୁଁଥିବା ଯାତ୍ରୀମାନଙ୍କ ପାଇଁ ଖୁସି ଖବର । ଅମରନାଥ ଯାତ୍ରା ପାଇଁ ଆସନ୍ତା ଏପ୍ରିଲ ୧୧ ତାରିଖରୁ ପଞ୍ଜୀକରଣ ଆରମ୍ଭ ହେବାକୁ ଯାଉଛି । ସେହିପରି ୨୦୨୨ ଜୁନ ୩୦ ତାରିଖରୁ ଅମରନାଥ ଯାତ୍ରା ଆରମ୍ଭ ହେବ ବୋଲି ଜଣାପଡ଼ିଛି । କରୋନା ମହାମାରୀ ପାଇଁ ଏହି ଯାତ୍ରା ଗତ ୨ ବର୍ଷ ହେଲା ବନ୍ଦ ରହିଥିଲା । ଖବର ସରବରାହ ସଂସ୍ଥା ଏଏନଆଇ ଅନୁସାରେ କରୋନା ମହାମାରି ପାଇଁ ଗତ ୨ ବର୍ଷ ହେଲା ଅମରନାଥ ଯାତ୍ରା ବନ୍ଦ ରହିଥିଲା । କିନ୍ତୁ ଏବେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତା ଜୁନ ୩୦ ତାରିଖରୁ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଶ୍ରାଇନ ବୋର୍ଡ ଅନୁସାରେ ଚଳିତ ମାସ ଏପ୍ରିଲ ୧୧ ତାରିଖରୁ ଏଥିପାଇଁ ପଞ୍ଜୀକରଣ ଆରମ୍ଭ ହେବ ।
ଗୋଟିଏ ଦିନରେ ୨୦ ହଜାର ଯାତ୍ରୀଙ୍କର ପଞ୍ଜୀକରଣ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । କେବଳ ସେତିକି ନୁହେଁ ଶ୍ରାଇନ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା କାଉଣ୍ଟରରେ ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ କରା ଯାଇପାରିବ ବୋଲି କୁହାଯାଇଛି । ସରକାରଙ୍କ ତରଫରୁ ୭୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ୧୩ ବର୍ଷରୁ କମ ବୟସର ଛୋଟ ପିଲାଙ୍କୁ ଅମରନାଥ ଯାତ୍ରା ପାଇଁ ଅନୁମତି ଦିଆଯିବ ନାହିଁ । ସେହିପରି ଦେଢ଼ ମାସରୁ ଅଧିକ ଗର୍ଭବତି ମହିଳାମାନଙ୍କୁ ମଧ୍ୟ ଅମରନାଥ ଯାତ୍ରା ଉପରେ ସରକାର କଟକଣା ଲଗାଇଛନ୍ତି ।