ଭୁବନେଶ୍ୱର: ମଣିଷଙ୍କୁ ପଶୁ ଇଞ୍ଜେକ୍ସନ ଦେବା ଘଟଣାରେ ପ୍ରଶାସନ ନେଇଛି ବଡ଼ ପଦକ୍ଷେପ । ଏହି ଘଟଣାରେ ଏଏସଆଇଙ୍କୁ ନିଲମ୍ବିତ କରାଯାଇଛି । ମହୁଲଡିହା ଥାନା ଏଏସଆଇ ପବିତ୍ର ମୋହନ ରାଉତଙ୍କୁ ନିଲମ୍ବିତ କରାଯାଇଥିବା ନେଇ ସୂଚନା ମିଳିଛି । କାର୍ଯ୍ୟରେ ଅବହେଳା ଅଭିଯୋଗରେ ଏଏସଆଇଙ୍କୁ ନିଲମ୍ବନ କରିଛନ୍ତି ମୟୂରଭଞ୍ଜ ଏସପି । କ୍ୱାକକୁ ଲୋକେ ଜିମା ଦେବା ସୁଦ୍ଧା ପୋଲିସ ଛାଡ଼ିଦେଇଥିବା ଅଭିଯୋଗ ହୋଇଛି । ଏଏସଆଇ ନିଲମ୍ବନ ନେଇ ମୟୂରଭଞ୍ଜ ଏସପି ସୂଚନା ଦେଇଛନ୍ତି ।
ତେବେ ଏପ୍ରିଲ ୧୬ ତାରିଖରେ ବିଶ୍ୱନାଥ ବେହେରା ଜଣେ କ୍ୱାକ୍(ନକଲି ଡାକ୍ତର) ଠାକୁରମୁଣ୍ଡା ବ୍ଲକ୍ ମହୁଲଡିହା ଗାଁକୁ ଆସିଥିଲେ। ସେ ନିଜକୁ ଠାକୁରମୁଣ୍ଡା ମେଡିକାଲ୍ର ଡାକ୍ତର ବୋଲି ପରିଚୟ ଦେଇଥିଲେ। ଶ୍ରୀକାନ୍ତ ମହାନ୍ତଙ୍କ ଅଣ୍ଟା ପେନ୍ କରୁଥିବାରୁ ତାଙ୍କ ପାଖକୁ ଯାଇଥିଲେ। ଶ୍ରୀ ମହାନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଇଞ୍ଜେକ୍ସନ୍ ଦେଇଥିଲେ। ଗୋଟେ କି ଦୁଇଟି ନୁହେଁ, ଏକାଥରେ ତିନିଟି ଇଞ୍ଜେକସନ୍ ଦେଇଥିବା ଅଭିଯୋଗ ହୋଇଥିଲା।