ଭୁବନେଶ୍ୱର(ଏସ୍ ନ୍ୟୁଜ): ‘ଚାଷ ଅଛି ଯାହାର କି ଆନନ୍ଦ ତାହାର, ଚାଷୀ ପୁଅ ଦୁନିଆକୁ ଯୋଗାଉଛି ଆହାର’, ଏହି ଓଡ଼ିଆ ଲୋକବାଣୀଟି ଚାଷ ପ୍ରତି ଚାଷୀର ଭଲପାଇବା ଏବଂ ଏହି ବେଉସାର ମହତ ଉଦ୍ଦେଶ୍ୟକୁ ବୁଝାଏ। କଥାଟି ଅକ୍ଷରେ ଅକ୍ଷରେ ସତ। ସେଥିପାଇଁ ଆମ ରାଜ୍ୟର ପ୍ରାୟ ଅଶୀ ଭାଗ ଲୋକ ଚାଷକୁ ଜୀବିକା ଭାବେ ଆପଣାଇଛନ୍ତି। ଏପରିକି ଜଣେ ବିଧାୟକ ହୋଇ ମଧ୍ୟ ଚାଷ ପ୍ରତି ମୋହ ତୁଟାଇ ପାରିନାହାଁନ୍ତି। ଯାହାଙ୍କୁ ପ୍ରଶଂସାରେ ପୋତିଛନ୍ତି ଆମ ଦେଶର ଉପରାଷ୍ଟ୍ରପତି।
ବିଧାୟକ ଜଣକ ହେଉଛନ୍ତି ମନୋହର ରାନ୍ଧାରୀ। ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନ ମଣ୍ଡଳୀରୁ ସେ ପ୍ରତିନିଧିତ୍ବ କରୁଛନ୍ତି। ପୂର୍ବରୁ ମଧ୍ୟ ନବରଙ୍ଗପୁର ସଦର ଆସନରୁ ଦୁଇଥର ବିଧାୟକ ନିର୍ବାଚିତ ହୋଇଛନ୍ତି। ତେବେ ଜଣେ ବରିଷ୍ଠ ରାଜନେତା, ବହୁବାର ବିଧାୟକ ହୋଇ ମଧ୍ୟ ବର୍ଷକୁ ଦୁଇ ମାସ ଧାନବିଲରେ ଚାଷ କାମ କରିବା ଆଜି ତାଙ୍କୁ ଜାତୀୟ ସ୍ତରରେ ଚର୍ଚ୍ଚିତ କରିଛି। ଖୋଦ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ତାଙ୍କ ପ୍ରଶଂସାରେ ଶତମୂଖ ହୋଇଛନ୍ତି। ନିଜେ ଉପରାଷ୍ଟ୍ରପତି ଇଂରାଜୀ, ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ତିନି ଥର ଟୁଇଟ କରି ରାନ୍ଧାରୀଙ୍କ ଉପରେ ଲିଖିତ ଖବରକୁ ପୋଷ୍ଟ କରିବା ସହ ନିଜର ମତ ରଖିଛନ୍ତି।
୪୫ ବର୍ଷିୟ ରାନ୍ଧାରୀ କହନ୍ତି, ‘ଯୁବକମାନେ କ୍ଷେତରେ କାମ କରିବାକୁ କୁଣ୍ଠିତ ହେବା ଅନୁଚିତ। ଫଟୋ ନିମନ୍ତେ ମୁଁ ଚାଷକାମ କରୁନାହିଁ। ଚାଷ ମୋର ବେଉସା ହୋଇଥିବା ବେଳେ ବିଧାୟକତ୍ବ ମୋ ପାଇଁ ଜନସେବାର ଉପାୟ। ଗୋଟିଏ ବୋଲି ପୁଅ ହୋଇଥିବାରୁ ଛୁଆଟି ଦିନରୁ ମୁଁ ଚାଷକାମରେ ବାପାଙ୍କୁ ସାହାଯ୍ୟ କରି ଆସୁଛି। ସେ ଆମର ବାର୍ଷିକ ଧାନଚାଷ କାମ ତଦାରଖ କରୁଥିଲେ। ଗତବର୍ଷ ତାଙ୍କର ଦେହାନ୍ତ ହୋଇଯିବାରୁ ଚାଷବାସ ଭାର ମୋ କାନ୍ଧରେ ପଡ଼ିଲା’।

ରାନ୍ଧାରୀଙ୍କର ପୂଜାରୀପଡ଼ା, କେଶରୀଗୁଡ଼ା ଏବଂ ଭାଟିଗାଁ ଅଞ୍ଚଳରେ ୨୫ ଏକର ବିଲ ଅଛି। ସେ କହନ୍ତି କି, ଟ୍ରାକ୍ଟର୍ ଯୋଗେ ମୁଁ ଜମି ଚଷେ। ଯେଉଁଠାକୁ ଟ୍ରାକ୍ଟର୍ ଯାଇପାରିବ ନାହିଁ, ସେଠାରେ ହଳବଳଦ ନେଇ ଚାଷ କରେ। ଅଗଷ୍ଟ ମାସରେ ତଳି ରୁଆ ଏବଂ ଶୀତଋତୁରେ ଧାନ କଟାବେଳେ ଗୋଟାଏ ମାସ ସେ ବିଲରେ ଉପସ୍ଥିତ ରହନ୍ତି। ଏଥିଯୋଗୁଁ ତାଙ୍କ ବିଧାୟକ କର୍ତ୍ତବ୍ୟ ସମ୍ପାଦନ କରିବାରେ କୌଣସି ଅସୁବିଧା ନ ହେଉଥିବା କଥା ସେ କହନ୍ତି।