ନମାଜ ପାଠ ବେଳେ ଭୟଙ୍କର ବିସ୍ଫୋରଣ: ୫୦ରୁ ଊର୍ଦ୍ଧ୍ୱ ମୃତ
ଆଫଗାନିସ୍ତାନର ରାଜଧାନୀ କାବୁଲରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ…
କାବୁଲ : ଆଫଗାନିସ୍ତାନର ରାଜଧାନୀ କାବୁଲରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଆତ୍ମଘାତୀ ବିସ୍ଫୋରଣରେ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିବା ଏକ ରିପୋର୍ଟରୁ ଜଣାଯାଇଛି । ତେବେ ଭୟଙ୍କର ଆତ୍ମଘାତୀବିସ୍ଫୋରଣରେ ଶତାଧିକ ଲୋକ ଗୁରୁତର ଆହତ ହୋଇଥିବା ନେଇ ଅନୁମାନ କରାଯାଉଛି । ସୂଚନାଯୋଗ୍ୟ ଯେ, ଶୁକ୍ରବାର ନମାଜପାଠ ଚାଲିଥିବା ବେଳେ ମସଜିଦ୍ରେ ବିସ୍ଫୋରଣ ହେବାରୁ ଭୟଙ୍କର ସ୍ଥିତି ଦେଖାଯାଇଛି । ରାଜଧାନୀ କାବୁଲର ପଶ୍ଚିମାଞ୍ଚଳରେ ଥିବା ଖଲିଫା ସାହିବ ମସଜିଦରେ ଏହି ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଆଭ୍ୟନ୍ତରୀଣ ମନ୍ତ୍ରାଳୟର ମୁଖପାତ୍ର ବେସୁମୁଲ୍ଲା ହବିବ ଏହା କହିଛନ୍ତି ।
ତେବେ ମୁଖପାତ୍ର କହିଛନ୍ତି ଯେ, ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୧୦ । ନମାଜ ପାଠ ସମୟରେ ଏହି ଆତ୍ମଘାତୀ ଆକ୍ରମଣ ହୋଇଥିଲା ବେଳେ ମସଜିଦ୍ର ମୁଖ୍ୟ ସୟଦ ଫାଜିଲ ଆଘା କହିଛନ୍ତି କେହି ଜଣେ ଲୋକ ବୋମା ପୂର୍ବ ଯୋଜନା ଅନୁସାରେ ଖଞ୍ଜି ରଖିଥିଲା । ବୋମା ବିସ୍ଫୋରଣ ହେବା ମାତ୍ରେ ଚାରିଆଡେ ଅନ୍ଧାର ହୋଇଯାଇଥିଲା ।