ନୂଆଦିଲ୍ଲୀ : ରାଜଧାନୀ ନୂଆଦିଲ୍ଲୀ ସମେତ ଅନେକ ରାଜ୍ୟରେ ବିଦ୍ୟୁତ୍ କାଟ ହେଉଛି । ଉତ୍ତର ପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ପଂଜାବ, ହରିୟାଣା, ଉତ୍ତରାଖଣ୍ଡ, ବିହାର, ଝାଡଖଣ୍ଡ, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ଏଥିରେ ସାମିଲ ରହିଛି । ଏହି ରାଜ୍ୟଗୁଡିକରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବା ସହ ବିଦ୍ୟୁତ ୭ରୁ ୮ ଘଣ୍ଟା କାଟି ଦିଆଯାଉଛି । ଏକ ରିପୋର୍ଟରେ କୁହାଯାଉଛି ଯେ, ରୁଷ-ୟୁକ୍ରେନ ଯୁଦ୍ଧ କାରଣରୁ କୋଇଲା ଆମଦାନୀରେ ପ୍ରଭାବ ପଡୁଛି । ସେହିପରି ପାୱାର ପ୍ଲାଣ୍ଟ ପାଖରେ କୋଇଲା ସଂକଟ ଦେଖାଯାଇଥିବାରୁ ବିଦ୍ୟୁତ କାଟ ହେଉଛି । ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, ଦେଶର ବିଭିନ୍ନ ପ୍ଲାଣ୍ଟରେ ପାଖାପାଖି ୨୨ ମିଲିୟନ ଟନ କୋଇଲା ଅଛି, ଯାହା ୧୦ ଦିନ ପାଇଁ ପୂରଣ କରିପାରିବ ।
ଏମିତିରେ ଝାଡଖଣ୍ଡ, ହରିୟାଣା, ବିହାର, ପଂଜାବ, ମହାରାଷ୍ଟ୍ର ଆଦି ରାଜ୍ୟରେ ଲଗାତାର ବିଦ୍ୟୁତ ସଂକଟ ଦେଖାଯାଇଛି । ସେହିପରି ବିଦ୍ୟୁତ କାଟକୁ ନେଇ ଦିଲ୍ଲୀ କେନ୍ଦ୍ରକୁ ପତ୍ର ଲେଖିଛି । ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟ ମଧ୍ୟ ସ୍ଥିତିରୁ ବର୍ତ୍ତିବା ପାଇଁ ପଦକ୍ଷେପ ନେଉଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ର ସରକାର କେତେଗୁଡିଏ ପାସେଞ୍ଜର ଟ୍ରେନକୁ ବାତିଲ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ଏହି ଟ୍ରେନଗୁଡିକୁ ଏଥିପାଇଁ ବାତିଲ କରାଯାଇଛି, ଯଦ୍ୱାରା ପାୱାର ଷ୍ଟେସନ ପାଇଁ କୋଇଲା ଯୋଗାଇ ଦିଆଯାଇପାରିବ ।