ପେଟ୍ରୋଲ ପମ୍ପ ବିସ୍ଫୋରଣ: ମାଂସ ଖଣ୍ଡର ହେବ ଡିଏନ୍‌ଏ ଟେଷ୍ଟ

ଭୁବନେଶ୍ୱର: ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାସ୍ଥଳରେ ପଡ଼ିଥିବା ମାଂସ ଖଣ୍ଡ କାହାର, ତାକୁ ନେଇ ଚର୍ଚ୍ଚା ହେଉଥିବା ବେଏ ଆବଶ୍ୟକ ପଡ଼ିଲେ ସେହି ମାଂସ ଖଣ୍ଡର ଡିଏନ୍‌ଏ ଟେଷ୍ଟ କରାଯିବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର କମିଶନର ସୁଧାଂଶୁ ଷଡଙ୍ଗୀ।


ତେବେ ଘଟଣାକୁ ନେଇ କ୍ୟାପିଟାଲ ଥାନାରେ ବିଭିନ୍ନ ଦଫାରେ ମାମଲା ହୋଇଛି ବୋଲି କମିଶନର କହିଛନ୍ତି । ପ୍ରାଥମିକ ତଦନ୍ତ ଅନୁସାରେ ସେଠାରେ ୪ ଜଣ କାମ କରୁଥିବା ସୂଚନା ମିଳିଛି। ୪ ଜଣଙ୍କ ମଧ୍ୟରୁ ଜଣଙ୍କର କଟକ SCBରେ ଆଜି ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଅବସ୍ଥାରେ SCBରେ ଚିକିତ୍ସାଧିନ ଅଛନ୍ତି। ତୃତୀୟ ବ୍ୟକ୍ତି ସୁରକ୍ଷିତ ଅଛନ୍ତି, ତାଙ୍କ ସହ ଆମେ କଥା ହୋଇଛୁ।ତଦନ୍ତ ପାଇଁ ବିଭିନ୍ନ ଅଫିସରଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି। ସେଠାରେ କଣ କାମ ହେଉଥିଲା ଓ କାହା ତତ୍ତ୍ୱାବଧାନରେ ହେଉଥିଲା ସେ ସବୁର ଟିକନିକ ତଦନ୍ତ ହେବ।

ଅନ୍ୟପଟେ ବିସ୍ଫୋରଣ ଘଟଣାରେ ଚତୁର୍ଥ ବ୍ୟକ୍ତିଙ୍କର ସୂଚନା ମିଳୁନି, ସେ ନିରୁଦ୍ଦିଷ୍ଟ ରହିଛନ୍ତି। ଗଂଜାମ ଜିଲ୍ଲାର ସୀମାଞ୍ଚଳ ପରିଡ଼ା ନାମକ ବ୍ୟକ୍ତି ନିଖୋଜ ନେଇ ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି ସୀମାଞ୍ଚଳଙ୍କ ଭଉଣୀ ଓ ସମ୍ପର୍କୀୟ ଭାଇ। ଗଂଜାମ ଜିଲ୍ଲା ଆସିକା ଗହଙ୍ଗୁ ଗାଁରେ ସିମାଞ୍ଚଳଙ୍କ ଘର। ସେ ଜଣେ ଡିପ୍ଲୋମା ଇଂଜିନିୟର ଏଲପିଜି କାମରେ ସେ ନିୟୋଜିତ ଥିବା ତାଙ୍କ ଭଉଣୀ କହିଛନ୍ତି। କୋଲକାତାରୁ ଆସି ସେ ଭୁବନେଶ୍ୱରରେ ଥିଲେ। ବିସ୍ଫୋରଣ ଖବର ପାଇବା ପରେ ସୀମାଞ୍ଚଳଙ୍କ ସହ ଯୋଗାଯୋଗ କରିବାକୁ ତାଙ୍କ ଭଉଣୀ ଚେଷ୍ଟା କରିଥିଲେ। ଫୋନ ନଲାଗିବାରୁ ସେମାନେ ଭୁବନେଶ୍ୱର ଆସିଛନ୍ତି। କ୍ୟାପିଟାଲ ହସ୍ପିଟାଲ ଏବଂ କଟକ ଏସସିବି ଯାଇ ଆହତ ବ୍ୟକ୍ତିଙ୍କ ସମ୍ପର୍କରେ ପଚାରି ବୁଝିଥିଲେ। ତେବେ ତାଙ୍କ ଭାଇ ବିଷୟରେ କୌଣସି ସୂଚନା ମିଳିନଥିବା ଜଣାପଡିଛି।ବିସ୍ଫୋରଣ ସ୍ଥଳରୁ ସୀମାଞ୍ଚଳଙ୍କ ଏଟିଏମ୍ ଏବଂ ମନିପର୍ସ ମିଳିଥିବା ଆଇଓସିଏଲ୍ ଅଧିକାରୀ ସୂଚନା ଦେଇଥିବା ପରିବାର ଲୋକେ କହିଛନ୍ତି।