ମୃତକଙ୍କ ପରିବାରରଙ୍କୁ ୮ ଲକ୍ଷ ଟଙ୍କାର ସହାୟତା ଦେବ ଆଇଓସିଏଲ୍

ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜଭବନ ନିକଟସ୍ଥ ପେଟ୍ରୋଲ୍‌ ପମ୍ପ ବିସ୍ଫୋରଣରେ ଅନୁକମ୍ପାମୂଳକ ସହୟତା ରାଶି ଘୋଷଣା କରିଛି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍। ମୃତକଙ୍କ ପରିବାରର ଲୋକଙ୍କୁ ୮ ଲକ୍ଷ ଟଙ୍କାର ସହାୟତା ମିଳିବ। ସେହିପରି ଗୁରୁତର ଆହତମାନଙ୍କୁ ୪ ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ ବୋଲି ଇଣ୍ଡିଆନ୍ ଅଏଲ୍ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।


କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ନିର୍ଦ୍ଦେଶ ପାଇବା ପରେ ଇଣ୍ଡିଆନ୍‌ ଅଏଲ କର୍ପୋରେସନ ଲିମିଟେଡ (ଆଇଓସିଏଲ୍‌) ଏହି ଘୋଷଣା କରିଛି। ଏଯାବତ୍ ଏହି ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ହୋଇ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ କେତେ ଜଣ ମୃତାହତ ହୋଇଛନ୍ତି ତାର ସ୍ପଷ୍ଟ ତଥ୍ୟ ଜଣାପଡ଼ିନାହିଁ।

ଅଗ୍ନିକାଣ୍ଡ ଘଟଣାରେ ଜଣେ ନିରୁଦ୍ଦିଷ୍ଟ ଥିବା କଥା ପ୍ରକାଶ କରିଛନ୍ତି ପୁଲିସ୍‌ କମିସନର ଡ.ସୁଧାଂଶୁ ଷଡ଼ଙ୍ଗୀ। ଆଜି ଘଟଣା ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ‌ଯେ ଦୁର୍ଘଟଣା ସମୟରେ ପେଟ୍ରୋଲ ଟାଙ୍କିରେ ୪ ଜଣ କାମ କରୁଥିଲେ। ଏହି କର୍ମଚାରୀମାନଙ୍କୁ ଇଣ୍ଡିଆନ୍ ଅଏଲ୍ ପକ୍ଷରୁ ନିୟ‌ୋଜିତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଆଜି କଟକ ଏସ୍‌ସିବିରେ ମୃତ୍ୟୁ ମୁଖରେ ପଡ଼ିଥିବା ବେଳେ ଅନ୍ୟ ଜଣେ ଚିକିତ୍ସତ ହେଉଛନ୍ତି। ସେହିଭଳି ଆଉ ଜଣେ ସୁରକ୍ଷିତ ଥିବା ବେଳେ ପୁଲିସ ତାଙ୍କ ସହ ଯୋଗାଯୋଗରେ ରହିଥିବା କମିସନର ପ୍ରକାଶ କରିଛନ୍ତି। ତେବେ ଏହି ୪ ଜଣଙ୍କ ମଧ୍ୟରୁ ଜଣଙ୍କର ପତ୍ତା ମିଳୁନାହିଁ। ତେଣେ ପୁଲିସ ତାଙ୍କୁ ନିରୁଦ୍ଦିଷ୍ଟ ବୋଲି ଗ୍ରହଣ କରିଛି।

ପରବର୍ତ୍ତୀ ତଦନ୍ତ ନେଇ କମିସନର ପ୍ରକାଶ କରିଥିଲେ ଯେ ବର୍ତ୍ତମାନ ଟାଙ୍କିରେ ପେଟ୍ରୋଲ୍‌ ମହଜୁଦ୍‌ ଅଛି। ପେଟ୍ରୋଲ୍‌ ସ୍ଥାନାନ୍ତର ହୋଇ ସାରିବା ପରେ ବିସ୍ଫୋରଣ ଯୋଗୁ ସୃଷ୍ଟି ହୋଇଥିବା ଗର୍ତ୍ତ ଓ ମାଟିସ୍ତୁପ ତଳେ କ’ଣ ରହିଛି ତାହା ଖୋଳାଯାଇ ଦେଖାଯିବ। ତା’ ମଧ୍ୟରେ ଶରୀର ଅଂଶ ଅଛି କି ନାହିଁ ପୁଲିସ୍‌ କୁକୁର ଲଗାଇ ଯାଞ୍ଚ୍‌ କରାଯିବ। ସଂପୂର୍ଣ୍ଣ ବୈଜ୍ଞାନିକ ପ୍ରଣାଳୀରେ ଘଟଣାର ତଦନ୍ତ କରାଯିବ ବୋଲି ପୁଲିସ୍‌ କମିସନର ଡ. ଷଢଙ୍ଗୀ କହିଛନ୍ତି। ଏହାସହ ପେଟ୍ରୋଲ ପମ୍ପରୁ ସମସ୍ତ ଇନ୍ଧନ ବାହାର କରିବା ପରେ ସେହି ସ୍ଥାନକୁ ଯାଞ୍ଚ କରାଯିବ ।