ମୁମ୍ବାଇ: ବହୁ କ୍ରିକେଟ ପଣ୍ଡିତଙ୍କ ଅଙ୍କକୁ ଗଡ଼ବଡ଼ କରି ଶେଷରେ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନି। ଅଗଷ୍ଟ ୧୫ ତାରିଖ ଦିନ ନିଜର ଇନଷ୍ଟାଗ୍ରାମ୍ ପୋଷ୍ଟ ଜରିଆରେ ଏ ବାବଦରେ ସୂଚିତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲେ। ଏହା ପରଠୁ ଅନେକେ ଏ ସମ୍ପର୍କରେ ପ୍ରତିକ୍ରିୟା ରଖୁଛନ୍ତି। ତେବେ ଧୋନିଙ୍କୁ ବଡ଼ ଆକାରରେ ବିଦାୟ ଦିଆଯାଉ ବୋଲି କ୍ରିକେଟର କେ ଏଲ୍ ରାହୁଲ କହିଛନ୍ତି।
ରାହୁଲ ଇଏସପିଏନ୍ କ୍ରିକ୍ ଇନଫୋକୁ କହିଛନ୍ତି ଯେ, ଧୋନିଙ୍କ ଏହି ଅଚାନକ ନିଷ୍ପତ୍ତି ମୋତେ ଆଶ୍ଚର୍ଯ୍ୟ କରିଛି। ତାଙ୍କ ଅଧିନରେ ଯେଉଁମାନେ ଟିମରେ ଖେଳିବାର ସୁଯୋଗ ପାଇଛନ୍ତି ସମସ୍ତେ ତାଙ୍କୁ ବଡ଼ ଆକାରରେ ବିଦାୟ ଦେବାକୁ ଚାହିଁ ବସିଛନ୍ତି। ଏହି ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନଙ୍କ ଇଚ୍ଛା ଧୋନିଙ୍କୁ ବିଦାୟୀ ମ୍ୟାଚ ଭାବେ ଶେଷ ସୁଯୋଗ ମିଳୁ। ଯାହା ଫଳରେ ସେ ଧୋନିଙ୍କ ପାଇଁ କିଛି ସ୍ବତନ୍ତ୍ର ପ୍ଲାନ କରିପାରିବେ।
୨୦୧୯ ବିଶ୍ବକପ୍ ସେମିଫାଇନାଲରେ ଭାରତର ପରାଜୟ ପରେ ଧୋନି ଅନ୍ୟ କୌଣସି ମ୍ୟାଚ ଭାରତ ପାଇଁ ଖେଳିନଥିଲେ। ଫଳରେ ବିଭିନ୍ନ ସମୟରେ ତାଙ୍କ କ୍ରିକେଟ ଭବିଷ୍ୟତ ନେଇ ଆଲୋଚନା ହେଉଥିଲା। କିଛି ଆଶା କରୁଥିଲେ ଧୋନି ଅତିକମରେ ୨୦୨୦ ଟି ଟ୍ବେଣ୍ଟି ବିଶ୍ବକପ ଖେଳିସାରି ଅବସର ନେବେ। ତେବେ କରୋନା ମହାମାରୀ ଦ୍ବାରା ପ୍ରଭାବିତ ବର୍ତ୍ତମାନର ସ୍ଥିତିକୁ ବିଚାର କରି ଧୋନି ଅବସର ନିଷ୍ପତ୍ତି ନେଇଗଲେ ବୋଲି ଶୁଣିବାକୁ ମିଳୁଛି।