ଟିଆରପି ଜାଲିଆତି: ରିପ୍ଲବିକ ସିଇଓଙ୍କୁ ୯ଘଣ୍ଟା ଜେରା

ମୁମ୍ବାଇ: ଟିଆରପି ଜାଲିଆତିରେ ଜାତୀୟ ଗଣମାଧ୍ୟମ ରିପ୍ଲବିକ ଟିଭିର ସିଇଓ ବିକାଶ ଖାନଚନ୍ଦାନୀଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୋଲିସ ଦୀର୍ଘ ୯ ଘଣ୍ଟା କାଳ ଜେରା କରିଛି। ଜାଲିଆତି କରି ନିଜକୁ ନମ୍ବର ୱାନ ବୋଲି ଦାବି କରୁଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଏହି ଜେରା କରିଛି। ଲୋକଙ୍କୁ ଟଙ୍କା ଦେଇ ରିପ୍ଲବିକ ଚ୍ୟାନେଲ ଦେଖିବାକୁ କହି ନିଜର ଟିଆରପି ବୃଦ୍ଧି କରୁଥିବା ଅଭିଯୋଗ ପୂର୍ବେଉ ହୋଇଥିଲା ।

ବିକାଶଙ୍କ ବ୍ୟତୀତ ରିପ୍ଲବିକ ଟିଭିର ସିଓଓ ହର୍ଷ ଭଣ୍ଡାରୀଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ମାରାଥନ ଜେରା କରି ବୟାନ ରେକର୍ଡ କରିଛି। ସେହିପରି ଉକ୍ତ ଟିଭି ଚ୍ୟାନେଲର ବିତରଣ ମୁଖ୍ୟ ଘନଶ୍ୟାମ ସିଂହଙ୍କୁ ମଧ୍ୟ ପୁଲିସ୍‌ ୭ ଘଣ୍ଟା ଧରି ଜେରା କରିଛି। ଗୋଟିଏ ହୋଟେଲରେ ରହିଥିବା ଘନଶ୍ୟାମଙ୍କୁ ନାନୀ ଡାମନ ପୁଲିସ୍‌ ଷ୍ଟେସନରେ ହିଁ ଜେରା କରାଯାଇଥିଲା। ରିପ୍ଲବିକ ଟିଭର ଅନ୍ୟତମ ସିଓଓ ପ୍ରିୟା ମୁଖାର୍ଜୀଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ସମନ କରିଥିଲା। ହେଲେ ସେ ବେଙ୍ଗାଲୁରୁରେ ଥିବାରୁ ମୁମ୍ବାଇ ଆସି ପାରି ନାହାନ୍ତି।


ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ ଆଜି ମଧ୍ୟ ସିଇଓ ବିକାଶଙ୍କୁ ଆଉ ଥରେ ଜେରା କରିବ। ଏଥିସହ କିଛି ଡକ୍ୟୁମେଣ୍ଟ ମଧ୍ୟ ତାଙ୍କୁ ଆଣିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।