ଆଇପିଏଲ ଲାଗି ଅନ୍ତର୍ଜାତୀୟ କ୍ରିକେଟ ବାଧାପ୍ରାପ୍ତ!
ଆଇପିଏଲ ଲାଗି ଅନ୍ତର୍ଜାତୀୟ କ୍ରିକେଟ୍ ଉପରେ କୁ ପ୍ରଭାବ ପଡିବା ନେଇ ଆଶଙ୍କା ପ୍ରକାଶ କରିଛି ଅନ୍ତର୍ଜାତୀୟ….
ନୂଆଦିଲ୍ଲୀ : ଆଇପିଏଲ ଲାଗି ଅନ୍ତର୍ଜାତୀୟ କ୍ରିକେଟ୍ ଉପରେ କୁ ପ୍ରଭାବ ପଡିବା ନେଇ ଆଶଙ୍କା ପ୍ରକାଶ କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ । ଆଇସିସି ଅଧ୍ୟକ୍ଷ ଗ୍ରେଗ ବାର୍କଲେ କହିଛନ୍ତି ଯଦି ଆଇପିଏଲ ପରି ଟି-୨୦ ଲିଗର ଅବଧି ବଢିଚାଲେ ତେବେ ଭବିଷ୍ୟତରେ ଅନ୍ତର୍ଜାତୀୟ ଦଳଗୁଡିକ ମଧ୍ୟରେ କମ ଦ୍ୱିପାକ୍ଷିକ ସିରିଜ ଖେଳା ଯାଇପାରେ । ଆଇପିଏଲ ୨୦୨୨ରେ ଦୁଇ ନୂତନ ଦଳ ସାମିଲ ହେବା କାରଣରୁ ଲିଗରେ ୭୪ ମୁକାବିଲା ଖେଳାଯାଉଛି । ଗତ ସିଜିନ ପର୍ଯ୍ୟନ୍ତ ୮ଟି ଦଳ ଖେଳୁଥିଲେ ଏବଂ ମୋଟ ୬୦ଟି ମୁକାବିଲା ଖେଳା ଯାଉଥିଲା । ତେବେ ଆଉ ଦୁଇଟି ଦଳ ମିଶିବାରୁ ଅଧିକ ୧୪ଟି ମ୍ୟାଚ ଖେଳାଯାଉଛି । ଆଇପିଏଲ ପୂରା ଦୁଇ ମାସ ଧରି ଚାଲୁଛି ।
ଆଇପିଏଲ ଏବଂ ଅନ୍ତର୍ଜାତୀୟ କ୍ୟାଲେଣ୍ଡର ମଧ୍ୟରେ କେମିତି ସନ୍ତୁଳନ ରଖାଯିବ ପ୍ରଶ୍ନ ଉପରେ ବାର୍କଲେ କହିଛନ୍ତି, ଏମିତି ଘରୋଇ ଟୁର୍ଣ୍ଣାମେଣ୍ଟ ସଦସ୍ୟ ଦେଶଗୁଡିକ ମଧ୍ୟରେ ମାମଲା । ସେମାନେ ନିଜ ଇଛା ଅନୁସାରେ ଏହାକୁ ଚଳାଇ ପାରିବେ । ମାତ୍ର ଯଦି ଏମିତି ଟୁର୍ଣ୍ଣାମେଣ୍ଟର ସଂଖ୍ୟା ବୃଦ୍ଧି ଘଟେ ତେବେ ଅନ୍ତର୍ଜାତୀୟ ଦ୍ୱିପାକ୍ଷିକ ସିରିଜ କମିବା ଥୟ । ସେ କହିଛନ୍ତି, ଯଦି ଘରୋଇ ଲିଗ୍ ହେବ ଏବଂ ଖେଳାଳି ଏଥିପ୍ରତି ଆକର୍ଷିତ ହେବେ ତେବେ କୌଣସି ନା କୌଣସି ଟୁର୍ଣ୍ଣାମେଣ୍ଟ କିମ୍ବା ସିରିଜକୁ ଏହାର କ୍ଷତି ଉଠାଇବାକୁ ପଡିବ । ମୋତେ ଲାଗୁନାହିଁ ଆଇସିସି ଇଭେଣ୍ଟକୁ ଏହାର ପରିଣାମ ଭୋଗିବାକୁ ପଡିବ । ପ୍ରତି ବର୍ଷ ଆଇସିସି ଟୁର୍ଣ୍ଣାମେଣ୍ଟ ହେଉଛି ଏବଂ ଏଥିରେ ବହୁ ଦଳ ଅଂଶଗ୍ରହଣ କରୁଛନ୍ତି । ଏହି ଟୁର୍ଣ୍ଣାମେଣ୍ଟର ଅବଧି ଲମ୍ବା ମଧ୍ୟ ରହୁଛି । ଏମିତି ସ୍ଥିତିରେ ଦ୍ୱିପାକ୍ଷିକ ସିରିଜ କମ ଖେଳାଯିବ ।