ଭୁବନେଶ୍ୱର (ଏସ ନ୍ୟୁଜ) : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତର ରୂପ ନେଇସାରିଛି । ଏହା ସହ ଗତ ୬ ଘଣ୍ଟା ମଧ୍ୟରେ ୧୭ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଏହି ଅବପାତ ଗତି କରିଥିଲା ।
ଆନ୍ଧ୍ରପ୍ରଦେଶରର କାକିନାଡ଼ାଏବଂ ନରସାପୁର ପୂର୍ବ-ଉତ୍ତର-ପୂର୍ବରେ ୧୦୦କିଲୋମିଟର ଦୂରରେ ଏହା କେନ୍ଦ୍ରିତ ହୋଇଥିଲା। ଆଜି ସକାଳ ୬ଟା ୩୦ରୁ ସକାଳ ୭ ଟା ୩୦ ମଧ୍ୟରେ ତୀବ୍ର ଅବପାତ ସ୍ଥଳଭାଗ ଅତିକ୍ରମ କରିଛି । ଏହି ସମୟରେ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ବେଗରେ ପବନ ବହିଥିଲା । ବେଳେ ବେଳେ ପବନର ବେଗ ଘଣ୍ଟାପ୍ରତି ୭୫ କିଲୋମିଟର ମଧ୍ୟ ରହିଥିଲା ।
ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ଜାରି ରହିଛି । ତୀବ୍ର ଅବପାତ ପ୍ରଭାବରେ ନବରଙ୍ଗପୁର ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି, ରାୟଗଡ଼ା, କଳାହାଣ୍ଡି, ଗଂଜାମ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେଉଛି । ଏନେଇ ଗଜପତିର ୪ଟି ବ୍ଲକରୁ ୫୦୦ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଦ୍ୱିପ୍ରହର ସୁଦ୍ଧା ଗଭୀର ଅବପାତର ପ୍ରଭାବ କମିଯିବ । ଫଳରେ ଏହାର ବିଶେଷ ପ୍ରଭାବ ରହିବ ନାହିଁ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
ଅନ୍ୟପଟେ କଟକ ଓ ଭୁବନେଶ୍ୱରରେ ଆଜି ମଧ୍ୟାହ୍ନ ୧୨ଟା ୩୦ ଯାଏଁ ପ୍ରବଳ ବର୍ଷା ହେବ। ଘଣ୍ଟା ପ୍ରତି ୨/୩ ସେମି ପର୍ଯ୍ୟନ୍ତ ବର୍ଷିବ। ପ୍ରବଳ ବର୍ଷା ଯୋଗୁ ଏହି ସମୟରେ ରାସ୍ତା ଅଳ୍ପ ଦୃଶ୍ୟମାନ ହେବା ସହ ଟ୍ରାଫିକ୍ ସମସ୍ୟା ମଧ୍ୟ ଦେଖାଯାଇପାରେ। ଯେତେ ଦୂର ସମ୍ଭବ ଘରୁ ନ ବାହାରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।