କେନ୍ଦ୍ର ସରକାର :୨୦୨୧ ପ୍ରାରମ୍ଭରେ ମିଳିପାରେ କରୋନା ଟୀକା

ନୂଆଦିଲ୍ଲୀ: ୨୦୨୦ ଡିସେମ୍ବର କିମ୍ବା ୨୦୨୧ ପ୍ରାରମ୍ଭରେ ମିଳିପାରେ କରୋନା ଭାଇରସ୍ ଟୀକା। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏନେଇ ସୂଚନା ଦେଇଛନ୍ତି।

କରୋନା ଟୀକାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ମଙ୍ଗଳବାର ଏକ ଘୋଷଣା କରି କହିଛନ୍ତି କି ୨୦୨୧ ଆରମ୍ଭରେ ଭାରତକୁ ମିଳିପାରେ ମହାମାରୀ କରୋନା ବିରୋଧୀ ଟୀକା। ୨୦୨୦ ଡିସେମ୍ବର କିମ୍ବା ୨୦୨୧ ପ୍ରାରମ୍ଭରେ କରୋନା ଭାଇରସ୍ ଟୀକା ପଞ୍ଜିକରଣ ପାଇଁ ପ୍ରସ୍ତୁତ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଘୋଷଣା କରିବା ପରେ ଡକ୍ଟର ହର୍ଷବର୍ଦ୍ଧନ ଏହି ଘୋଷଣା କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି,‘ଦେଶରେ ଟୀକା ବିତରଣ କରିବାକୁ ନେଇ ବିଶେଷଜ୍ଞମାନେ ବର୍ତ୍ତମାନ ଗୋଷ୍ଠୀ ରଣନୀତି ପ୍ରସ୍ତୁତ କରୁଛନ୍ତି।’ ଆମେ ଆଶା କରୁଛୁ ଯେ ଆସନ୍ତା ବର୍ଷ ଆରମ୍ଭରେ ଦେଶକୁ ଏକରୁ ଅଧିକ ଉତ୍ସରୁ ଟୀକା ମିଳିପାରେ। ’ ମନ୍ତ୍ରୀମାନଙ୍କର ଏକ ବୈଠକରେ ହର୍ଷବର୍ଦ୍ଧନ ଏହି ମତ ରଖିଛନ୍ତି। ହୁ’ର ମୁଖ୍ୟ ବୈଜ୍ଞାନିକ ଗଣମାଧ୍ୟମରେ ସୂଚନା ଦେଇ କହିଥିଲେ ଯେ କରୋନା ଭାଇରସ୍‌ ପାଇଁ ଟୀକା ବାହାର କରିବାକୁ ପ୍ରାୟ ୪୦ ପ୍ରାର୍ଥୀ କ୍ଲିନିକାଲ୍‌ ପରୀକ୍ଷଣର ବିଭିନ୍ନ ପର୍ଯ୍ୟାୟରେ ଅଛନ୍ତି। ସେଥିମଧ୍ୟରୁ ୧୦ଟି ପ୍ରାର୍ଥୀ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା ରହିଛି।